କରୋନା ଟିକାର ୧୧ ଡୋଜ୍ ନେଲେ ବୃଦ୍ଧ । ୧୨ ଥର ବେଳକୁ ଧରାପଡିଲେ ।

521

କନକ ବ୍ୟୁରୋ: ଯେତେ ଅଧିକ ଟିକା ନେବି ଶରୀରରେ ସେତେ ରୋଗ ପ୍ରତିଷେଧକ ଶକ୍ତି ବଢିବ । ଏହା ଚିନ୍ତା କରି କରୋନା ଟିକାର ୧୧ଟି ଡୋଜ୍ ନେଇସାରିଥିଲେ ଆଉ ୧୨ ଥର ନେବାବେଳକୁ ଧରାପଡିଲେ ବୃଦ୍ଧ । ଏଭଳି ଘଟଣା ଘଟିଛି ବିହାରରେ ।

ଯେତେ ଅଧିକ ଟିକା ନେବେ ସେତେ ଦେହ ଭଲ ରହିବ ଭାବି କରୋନା ଟିକାର ୧୧ଟି ଡୋଜ ନେଲେ ୮୪ବର୍ଷୀୟ ବୃଦ୍ଧ। ଏହି ଖବରଟି ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଘଟଣାଟି ବିହାରରେ ଘଟିଥିବା ବେଳେ ବୃଦ୍ଧଜଣକ ୧୨ନମ୍ବର ଡୋଜ ନେବାକୁ ଯାଉଥିବା ବେଳେ ଧରାପଡ଼ିଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ବୃଦ୍ଧ କିଭଳି କରୋନା ଟିକାର ୧୧ଟି ଡୋଜ ନେଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ବୃଦ୍ଧଙ୍କ ବ୍ରହ୍ମଦେବ ମଣ୍ଡଳ ବୋଲି ଜଣାପଡ଼ିଥିବା ବେଳେ ସେ ଓରାଇ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।

ମାଧେପୁରା ଜିଲ୍ଲାର ସିଭିଲ୍ ସର୍ଜନ ବର୍ତ୍ତମାନ କହିଛନ୍ତି ଯେ ବୃଦ୍ଧ କିପରି ଏତେ ମାତ୍ରାରେ ଡୋଜ ନେଇଛନ୍ତି ତାହା ଜାଣିବା ପାଇଁ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ। ଏବିଷୟରେ ବ୍ରହ୍ମଦେବଙ୍କକୁ ପଚରାଯିବା ପରେ ସେ କହିଥିଲେ ଯେ, କରୋନା ଟିକା ନେବା ପରେ ମୋତେ ଏକାଧିକ ଲାଭ ମିଳିବାରୁ ମୁଁ ଦ୍ବିତୀୟ ଡୋଜ ପରେ ଅଟକି ନଥିଲି। ଏହାକୁ ବାରମ୍ବାର ବାରମ୍ବାର ନେଇ ମୁଁ ସୁସ୍ଥ ରହିବାକୁ ଚାହୁଁଥିଲି।

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବ୍ରହ୍ମଦେବ କହିଛନ୍ତି ଯେ, ସେ ଗତ ବର୍ଷ ଫେବ୍ରୁଆରି ୧୩ରେ ତାଙ୍କର ପ୍ରଥମ ଟିକା ନେଇଥିଲେ। ଏହା ପରେ ଫେବ୍ରୁଆରି ୧୩ରୁ ଡିସେମ୍ବର ୩୦ ମଧ୍ୟରେ ସେ ଏକ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାର ୧୧ଟି ଡୋଜ ନେଇଥିଲେ। ଏହା ସହ ଟିକା ନେବାର ସ୍ଥାନ, ତାରିଖ ଏବଂ ସମୟକୁ ମଧ୍ୟ ସେ ଲେଖି ରଖିଥିଲେ।