ଗୁଜରାଟ ଝୁଲା ପୋଲ ଛିଡିବା ଘଟଣା: ୪ ଗିରଫ, ୫ ଜଣଙ୍କୁ ପଚରା ଉଚରା ଜାରି

615

କନକ ବ୍ୟୁରୋ: ଗୁଜରାଟର ଭୟଙ୍କର ଦୁର୍ଘଟଣା ପରେ ଆକ୍ସନ ମୋଡରେ ପୋଲିସ । ଗୁଜରାଟ ପୋଲିସ ଏହି ମାମଲାକୁ ଆଗକୁ ବଢାଇ ୪ ଜଣଙ୍କୁ ଗିରଫ କରିଛି । ଏହାସହ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ । ପ୍ରଥମେ ଏହି ଘଟଣାରେ ୯ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା । ସଥିମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ୫ ଜଣଙ୍କୁ ଜେରା ଜାରି ରହିଛି ।

ଗୁଜରାଟ ଝୁଲା ପୋଲ ଭୁଶୁଡିଯିବା ଫଳରେ ୧୩୪ ଜଣଙ୍କ ମୃତ୍ୟୁ ହୋଇଛି । ମଚ୍ଛୁ ନଦୀରେ ଏହି ବଡ ଦୁର୍ଘଟଣା ଘଟିଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ବି ୫୦ରୁ ଅଧିକ ଲୋକଙ୍କ ପତା ମିଳୁନି । ଉଦ୍ଧାର କାର୍ଯ୍ୟରେ ସେନା ସାମିଲ ହୋଇଛି । ବାୟୁସେନାର ଗରୁଡ଼ କମାଣ୍ଡୋ ବାହିନୀ, ସ୍ଥଳସେନା, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଓ ଜିଲ୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ରାତି ସାରା ୨୦୦ରୁ ଅଧିକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୁଜରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ରେଂଜ ଆଇଜିପିଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ କରୁଛି । ମୃତକଙ୍କ ପରିବାରକୁ ଗୁଜରାଟ ସରକାର ୪ ଲକ୍ଷ ଲେଖାଏଁ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତୀ ନିଜର ସବୁ କାର୍ଯ୍ୟକ୍ରମକୁ ରଦ୍ଦ କରି ଘଟଣାସ୍ଥଳକୁ ଯାଇଥିଲେ ।