ପୁଣି ତେଜିଲା ଟାଟା ବିରୋଧି ଆନ୍ଦୋଳନ। ଗଂଜାମରେ ହେଉଥିବା ଦୀପକ ଫର୍ଟିଲାଇଜର କମ୍ପାନୀକୁ ଗ୍ରାମବାସୀଙ୍କ ବିରୋଧ।

73

କନକ ବ୍ୟୁରୋ: ପୁଣି ତେଜିଲା ଟାଟା ବିରୋଧି ଆନ୍ଦୋଳନ । ଟାଟା ପକ୍ଷରୁ ସ୍ମାର୍ଟ କେମ୍ ଟେକ୍ନେଲୋଜି ନାମକ ସାର କାରଖାନା ପ୍ରକଳ୍ପ ନିର୍ମାଣକୁ କାଳିପଲ୍ଲୀ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି । ଦୀର୍ଘ ଦିନ ହେବ ଫର୍ଟିଲାଇଜର କମ୍ପାନୀକୁ ବିରୋଧ କରିଆସୁଛନ୍ତି ଗ୍ରାମବାସୀ । ଆଜି ପୁଣି ଥରେ କାମ ଆରମ୍ଭ ବେଳେ ଧସ୍ତାଧସ୍ତିି ହୋଇଛନ୍ତି ଗ୍ରାମବାସୀ ଓ ପୋଲିସ । ଏନେଇ ବହୁବାର ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକିଛି ।

ଗତ କିଛି ଦିନ ତଳେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ଦାବି ନେଇ ପ୍ରକଳ୍ପ ନିର୍ମାଣ ସ୍ଥାନରେ ଆନ୍ଦୋଳନକୁ ତ୍ରୀବତର କରାଯାଇଥିଲା । ଆଜି ପୁଣି ଥରେ କାମ ଆରମ୍ଭ ହେବାରୁ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ । ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଦାବି କରି କାଳିପଲ୍ଲୀ ଗାଁର ଶତାଧିକ ମହିଳା ଓ ପୁରୁଷମାନେ ଘଟଣା ସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ଘଟଣାସ୍ଥଳରେ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ସାର କାରଖାନା ହେଲେ ପରିବେଶ ବିଷାକ୍ତ ହୋଇଯିବ । ଗାଁଲୋକ ନାନା ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ଦାବି କରି ସାର କାରଖାନା ନିର୍ମାଣକୁ ବିରୋଧ କରିଛନ୍ତି ।