ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ଚିହ୍ନଟ ହେଲେଣି ୩୦ ଆକ୍ରାନ୍ତ

249

କନକ ବ୍ୟୁରୋ: ଦିନକରେ ଦେଶରୁ ଚିହ୍ନଟ ହେଲେଣି ୩୦ ଓମିକ୍ରନ ଆକ୍ରାନ୍ତ । ଆଜି ତେଲେଙ୍ଗାନାରୁ ୧୨ , ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୬ ଓ କେରଳରୁ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି । ତେଲେଙ୍ଗାନାରୁ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୨ଜଣ ଆଟ ରିସ୍କ ଦେଶରୁ ଫେରିଥିବାବେଳେ ଅନ୍ୟ ୧୦ ଜଣ ବାହାର ଦେଶରୁ ଫେରିଛନ୍ତି ।

ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ମୁମ୍ବାଇ, ୩ ସତାରା ଓ ଜଣେ ପୁନେରୁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ବିମାନବନ୍ଦରରେ ସ୍କ୍ରିନିଂବେଳେ ୪ଜଣ ଚିହ୍ନଟ ହୋଇଛନ୍ତି । ୨ଜଣ ଦକ୍ଷିଣ ଆଫ୍ରିକାରୁ ଫେରୁଥିଲେ, ଜଣେ ତାଞ୍ଜାନିଆ ଓ ଅନ୍ୟ ଜଣେ ୟୁକେରୁ ଫେରୁଥିଲେ । ସବୁଠାରୁ ବଡ କଥା ହେଉଛି, ସମସ୍ତେ ଟିକା ନେଇଥିଲେ ଓ ସେମାନଙ୍କ ନିକଟରେ ଲକ୍ଷଣ ଜଣାପଡୁଥିଲା । ସତାରାରୁ ଚିହ୍ନଟ ହୋଇଥିବା ତିନି ଜଣ ମଧ୍ୟ ଆଫ୍ରିକାରୁ ଫେରିଛନ୍ତି । ମହାରାଷ୍ଟ୍ରରେ ସବୁଠୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୪୮ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ସେହିପରି ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୧୪, କେରଳରୁ ୧୧, ତେଲେଙ୍ଗାନାରୁ ୨୧, ଗୁଜୁରାଟରୁ ୭, ତାମିଲନାଡୁରୁ ଜଣେ ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।