କଟକରୁ ଉଠାଇନେଲେ ଖଡ଼ଗପୁରରେ ଫିଙ୍ଗି ଦେଲେ । ରେଭେନ୍ସାର ୩ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହେଲା ପଣ୍ଡ । ପୁଲିସ୍ ଚେକିଂ ଦେଖି ରାସ୍ତାରେ ଛାତ୍ରୀଙ୍କୁ ଫିଙ୍ଗି ଦେଲେ ଦୃର୍ବୁତ୍ତ ।

1,183

କନକ ବ୍ୟୁରୋ : ନିଶା ଦେଇ ରେଭେନ୍ସା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ଅପହରଣ କରି କଲିକତା ନେଇ ଯାଉଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୩ଜଣ ଛାତ୍ରୀ । କଲେଜ ଛକରେ ଅଟୋକୁ ଅପେକ୍ଷା କରିଥିବା ବେଳେ ରାସ୍ତାରୁ ଉଠାଇ ନେଇଥିଲେ ଦୁବୃର୍ତ୍ତ । ଏକ ସ୍କୋର୍ପିଓ ଗାଡ଼ିରେ ତାଙ୍କୁ କଲିକତା ନେଇଯାଉଥିବା ବେଳେ ଖଡ଼ଗପୁର ପୁଲିସ୍ ଚେକିଂ ଦେଖି, ରାସ୍ତକଡ଼ରେ ଫିଙ୍ଗି ଦେଇ ଚମ୍ପଟ ହୋଇଯାଇଥିଲେ ଦୁବୃର୍ତ୍ତ । ଅପହୃତ ଏହି ୩ଜଣ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆସନ୍ତୁ ଜାଣିବା କ’ଣ ଥିଲା ଅପହରଣର ଏହି ପୁରା କାହାଣୀ ।

୧୯ ତାରିଖ ଗୁରୁବାର । ସମୟ : ପ୍ରାୟ ୨ଟା ୧୫ । ସ୍ଥାନ: ରେଭେନ୍ସା କଲେଜ ଛକ, କଟକ । ଗାଁକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ ଯୁକ୍ତ ଦୁଇର ଦୁଇ ଜଣ ଛାତ୍ରୀ । କିଛି ସମୟ ଧରି ଅପେକ୍ଷା କଲା ଭିତରେ ଛକରେ ପହଞ୍ଚିଥିଲେ ଯୁକ୍ତ ୩ର ଆଉ ଜଣେ ଛାତ୍ରୀ, ଯିଏ ଔଷଧ କିଣିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ । ୩ଜଣ ଛାତ୍ରୀ ରାସ୍ତାରେ ଅପେକ୍ଷା କରିଥିବା ଦେଖି ଅଟକି ଗଲା ଏକ ଖାଲି ଅଟୋ । ୩ଜଣ ଯାକ ଛାତ୍ରୀ କିଏ କେଉଁଠି କି ଯିବେ କହିବା ପରେ ଅଟୋ ବାଦାମବାଡ଼ି ବସଷ୍ଟାଣ୍ଡ ଅଭିମୁଖେ ବାହାରିଲା । ହେଲେ କିଛି ସମୟ ପରେ ରାଣୀହାଟ କେନାଲ ନିକଟରେ ଅଟକିଗଲା ଅଟୋ । ଅଟୋଚାଳକ ଜଣକ ପାନ ଆଣିବାକୁ ଯାଉଛି କହି ଉଭାନ୍ ହୋଇଗଲା ।

ଅଟୋ ଡ୍ରାଇଭରକୁ ଅପେକ୍ଷା କରି ରହିଲେ ତିନି ଛାତ୍ରୀ । ବିଳମ୍ବ ହେଉଥିଲେ ବି ଅଟୋ ଛାଡି ନୂଆ ଅଟୋରେ ଯିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା । ବେଶ କିଛି ସମୟ ଅପେକ୍ଷା କରିବା ପରେ ଆସିଲା ଅଟୋ ଚାଳକ । ହେଲେ ହାତରେ ଥିଲା ଏମିତି କିଛି ସାମଗ୍ରୀ ଯାହା ପୁରା କାହାଣୀ ବଦଳାଇ ଦେଇଥିଲା ।

୩ଜଣ ଛାତ୍ରୀଙ୍କ ମୁହଁକୁ କ୍ଲୋରୋଫର୍ମ ବା ନିଶା ସ୍ପ୍ରେ ମାରିଥିଲା ଅଟୋ ଚାଳକ । ଚାହୁଁ ଚାହୁଁ ବେହୋସ୍ ହୋଇଗଲେ ୩ଜଣ ଯାକ ଛାତ୍ରୀ । ଆଉ ଛାତ୍ରୀଙ୍କ ବେହୋସ୍ ହେବାର ସୁଯୋଗ ନେଇ ସେମାନଙ୍କୁ ଆଉ ଏକ ସ୍କରପିଓ ଗାଡ଼ିକୁ ସ୍ଥାନାନ୍ତର କରାଯାଇଥିଲା । ହୁଏତ, ଛାତ୍ରୀଙ୍କ ବେହୋସ୍ ହେବାକୁ ଅପେକ୍ଷା କରି ରହିଥିଲେ ଅଟୋ ଚାଳକଙ୍କ ସହ ମିଶିଥିବା ଆଉ କିଛି ଦୁବୃର୍ତ୍ତ ।

ସ୍କୋର୍ପିଓ ଗାଡ଼ିରେ ୩ ଜଣ ଛାତ୍ରୀଙ୍କୁ ନେଇଯିବା ପରେ ଗାଡ଼ି ଓଡ଼ିଶା ସୀମା ପାର ହୋଇ ମାଡ଼ି ଚାଲିଲା ପଶ୍ଚିମବଙ୍ଗ । ହୁଏତ, ୩ଜଣ ଛାତ୍ରୀଙ୍କୁ କଲିକତା ନେଇ ଯିବାର ଯୋଜନା କରିଥିଲେ ଦୁବୃର୍ତ୍ତ । ହେଲେ ରାସ୍ତାରେ ଘଟିଲା ଏକ ଅଭାବନୀୟ ଘଟଣା । ଠିକ୍ ଖଡ଼ଗପୁର ନିକଟରେ ପୁଲିସ୍ ଚେକିଂ ଦେଖି, ଅଧାରାସ୍ତାରେ ୩ଝିଅଙ୍କୁ ପିଙ୍ଗି ଦେଇ ଉଭାନ୍ ହୋଇଗଲେ ଦୁବୃର୍ତ୍ତ ।

ଆଉ ଯେତେବେଳେ ୩ଜଣ ଯାକ ଛାତ୍ରୀ ଚେତା ଫେରି ପାଇଲେ, ସେମାନେ ଏକ ଗଛ ମୂଳରେ ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲେ । ନାକ, ହାତ ଏବଂ ଦେହର କିଛି ସ୍ଥାନରେ କ୍ଷତ ଚିହ୍ନ ଲାଗିଥିଲା । ଆଉ ଏହି ଭଳି ଅବସ୍ଥାରେ ପୁଲିସ୍ ପାଖରେ ପହଞ୍ଚିଥିଲେ ୩ଛାତ୍ରୀ । ପରେ ପୁଲିସ୍ ସହାୟତାରେ ଯାଜପୁର, ଭଦ୍ରକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ରହୁଥିବା ଛାତ୍ରୀଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଥିଲା । ଏବେ ୩ଜଣ ଯାକ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଏହି ପୁରା ଅପହରଣ ଘଟଣାରେ କଟକର ସେହି ଅଟୋଚାଳକ ହିଁ ମାଷ୍ଟର ମାଇଣ୍ଡ । ଯିଏ ସ୍ପୋର୍ପିଓରେ ଆସିଥିବା ଦୁବୃର୍ତ୍ତଙ୍କ ସହ ଯୋଗାଯୋଗ କରି ରଚିଥିଲା ଅପହରଣର ପୁରା ନକ୍ସା ।