୩ସାଙ୍ଗ ଓ ୨୩ ବର୍ଷ ପୁରୁଣା କାରର କାହାଣୀ । ଦେଶରୁ ଦେଶ ବୁଲିବା ଏମାନଙ୍କ ସ୍ୱପ୍ନ

231

କନକ ବ୍ୟୁରୋ : ୩ସାଙ୍ଗ ଓ ୨୩ ବର୍ଷ ପୁରୁଣା କାର୍, କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ଯୁଗରେ ଯୁବପୀଢିମାନେ ବିଭିନ୍ନ ନୂଆ ନୂଆ ସ୍ଥାନ ବୁଲିବାକୁ ବେସ୍ ପସନ୍ଦ କରୁଛନ୍ତି । ନୂଆ ଗାଡି ଖଣ୍ଡେ ମିଳିଗଲେତ ବୁଲିବାର ମଜା ଆହୁରି ବଢିଯାଏ । କିନ୍ତୁ କିଏ କେବେ ଦେଖିଛନ୍ତି କି, ୨୩ରୁ ୨୫ବର୍ଷ ପୁରୁଣା ଗାଡିକୁ ଧରି କିଏ ଦେଶ ବିଦେଶ ବୁଲିବା କଥା । ଏବେ ଆମେ କହିବାକୁ ଯାଉଛି ୩ଜଣ ସାଙ୍ଗଙ୍କ କଥା ଯିଏ ୨୩ବର୍ଷ ପୁରୁଣା ଏକ କାରକୁ ଧରି ୯ଟି ଦେଶ ବୁଲିସାରିଲେଣି । ଆଗକୁ ମଧ୍ୟ ଆହୁରି ଦେଶ ବୁଲିବାର ଯୋଜନା ରଖିଛନ୍ତି ।

ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ତିନି ସାଙ୍ଗ ଡ୍ୟାନିୟଲ୍ ପେଟର୍ନ, ଜୋଏ ଫିସର ଏବଂ କ୍ୟାଲମ କିଷ୍ଟନ ଏକ ଆଡଭେଞ୍ଚର ଟ୍ରିପରେ ବାହାରିପଡିଥିଲେ । ଏହି ତିନିଜଣ ସ୍କଟଲ୍ୟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ । ଏବଂ ୨୦ ଦେଶ ବୁଲିବାର ଯୋଜନା ରଖିଛନ୍ତି । ପାଖାପାଖି ୧୫ହଜାର କିମି ଦୂର ଅତିକ୍ରମ କରି ଭାରତ ପହଞ୍ଚିବାର ଲକ୍ଷ ରଖିଛନ୍ତି । ଭାରତରେ ପହଞ୍ଚି ଏମାନେ ଦିଲ୍ଲୀ ଓ ମୁମ୍ବାଇରେ ବୁଲିବାକୁ ଚାହୁଁଛନ୍ତି ।
ଏହି ଲମ୍ବା ଯାତ୍ରାରେ ୩ଜଣ ସାଙ୍ଗ ତାଙ୍କ ସାଙ୍ଗରେ ନେଇଯାଇଛନ୍ତି ୩ଟି ସ୍ଲିପିଂ ବେଡ୍, ୨୧ ବକ୍ସର ଏବଂ ଆଉ କିଛି ସାର୍ଟ ଓ ଟିସର୍ଟ । ଏହି ଲମ୍ବା ଯାତ୍ରାରେ ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ୩ସାଙ୍ଗ କହିଛନ୍ତି । ଖାଇବା ପିଇବା, ଗାଡିରେ ତେଲ ପକାଇବା, ସର୍ଭିସ କରିବା, ଡ୍ରେସ୍ କିଣିବା ଏବଂ ସଫା କରିବା ସହିତ ମୋବାଇଲ ଡାଟାକୁ ମିଶାଇ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ଏହି ତିନି ସାଙ୍ଗ ପ୍ରାୟ ୯ଟି ଦେଶ ବୁଲିସାରିଲେଣି । ସେହି ଦେଶଗୁଡିକ ହେଉଛି, ୟୁକେ, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ଲକ୍ଜମବର୍ଗ, ଚେକ୍ ଗଣରାଜ୍ୟ, ଅଷ୍ଟ୍ରିୟା, ସ୍ଲୋବେନିୟା ଏବଂ କ୍ରୋଏସିଆ ସାମିଲ ରହିଛି । ଏହି ତିନି ସାଙ୍ଗ ଦେଶରୁ ଆଉ ଏକ ଦେଶ ବୁଲିବା ଭିତରେ କୌଣସି ହୋଟେଲରେ ରହିନାହାନ୍ତି । ପାର୍କିଂରେ କାର ପାର୍କ କରି କାରରେ ହିଁ ଶୋଇଯାଆନ୍ତି । ସବୁଠୁ ବଡକଥା ହେଉଛି ଏମାନେ ଯେଉଁ ଗାଡି ନେଇ ଯାତ୍ରା ଆରମ୍ଭ କରିଛନ୍ତି ସେହି ଗାଡି ୨୩ବର୍ଷ ପୁରୁଣା ହୋଇଥିବା ବେଳେ ସେଥିରେ ଏସି ନାହିଁ । ତଥାବି ଏମାନେ ସେହି ପୁରୁଣା କାରକୁ ଧରି ଗୋଟେ ଦେଶରୁ ଆଉ ଗୋଟେ ଦେଶ ବୁଲିବାର ସାହସ ଦେଖାଇଛନ୍ତି ।