ଶାଶୁଙ୍କ ବେଡସିଟ୍ ବଦଳାଗଲାନି ବୋଲି…ହସ୍ପିଟାଲରେ ପହଞ୍ଚିଲେ ବିଚାରପତି, ୩ କର୍ମଚାରୀ ନିଲମ୍ବିତ

1,505

କନକ ବ୍ୟୁରୋ: ଅନେକ ସମୟରେ ହସ୍ପିଟାଲରେ ରୋଗୀଙ୍କୁ ସ୍ୱାସ୍ଥ୍ୟ କର୍ମଚାରୀ ଅବହେଳା କରୁଥିବା ଖବର ଆପଣ ଶୁଣିଥିବେ । ହେଲେ ଯଦି ଏପରି ଜଣେ ସର୍ବୋଚ୍ଚ ଅଧିକାରୀଙ୍କ ସହ ଘଟେ ତେବେ ପରିଣତି କ’ଣ ହୁଏ ତାର ପ୍ରମାଣ ଦେଖିବାକୁ ମିଳିଛି ପ୍ରୟାଗରାଜର ଏକ ହସ୍ପିଟାଲରେ ।

ଆହ୍ଲାବାଦ ହାଇକୋର୍ଟର ଜଜଙ୍କ ଶାଶୁ ପ୍ରୟାଗରାଜର ମୋତିଲାଲ ନେହେରୁ ମେଡିକାଲ କଲେଜର ସ୍ୱରୂପରାଣୀ ନେହେରୁ ହସ୍ପିଟାଲରେ ହୃଦରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଏସଆରଏନ୍ କରାଯାଇଥିଲା । ଦେଖାରଖା କରିବାକୁ ଶାଶୁଙ୍କ ପାଖରେ ଖୋଦ ଜଜଙ୍କ ପତ୍ନୀ ଉପସ୍ଥିତ ଥିଲେ । ଶାଶୁ ୱାର୍ଡର ଯେଉଁ ବେଡରେ ଥିଲେ ସେହି ବେଡର ବେଡସିଟ୍ ବହୁତ ଅପରିଷ୍କାର ହୋଇଥିଲା । ଏହାକୁ ବଦଳାଇବାକୁ ଜଜଙ୍କ ପତ୍ନୀ ନର୍ସ ଓ ୱାର୍ଡ ବୟଙ୍କୁ ପ୍ରଥମେ ଅନୁରୋଧ କରିଥିଲେ । ସେମାନେ କିଛି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଦ୍ୱିତୀୟ ଥର କହିବାରୁ ହସ୍ପିଟାଲରେ ଆଉ ବେଡସିଟ୍ ନାହିଁ । ନିଜଘରୁ ଆଣି ବେଡରେ ବେଡସିଟ ପକାଇବାକୁ କହିଥିଲେ ଉଭୟ ନର୍ସ ଓ ୱାର୍ଡ ବୟ । ଏକଥା ଜଜଙ୍କୁ ତାଙ୍କ ପତ୍ନୀ ଜଣାଇବାରୁ ସିଧା କୋର୍ଟରୁ ହସ୍ପିଟାଲରେ ଯାଇ ପହଞ୍ଚିଥିଲେ ଜଜ୍ । ଆଉ ସବୁ ଘଟଣା ଦେଖିବା ପରେ ସମ୍ପୃକ୍ତ ସ୍ୱାସ୍ଥ୍ର୍ୟକର୍ମୀଙ୍କ ଉପରେ ବର୍ଷିଥିଲେ । କେବଳ ଏତିକି ନୁହେଁ ତୁରନ୍ତ ସେମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଏହି ଘଟଣା ପାଇଁ ମେଡିକାଲ କଲେଜରେ ପ୍ରିନ୍ସିପାଲ ଆସି ପହଞ୍ଚି ଜଜଙ୍କୁ ହାତ ଯୋଡି କ୍ଷମା ମାଗିବା ସହ ୨ ନର୍ସ ଓ ଜଣେ ୱାର୍ଡ ବୟଙ୍କୁ ନିଲମ୍ବନ କରିଥିଲେ ।

ନିଜେ ପ୍ରିନ୍ସିପାଲ ଜଜଙ୍କୁ କ୍ଷମା ଭିକ୍ଷା କରିବା ସହ ହସ୍ପିଟାଲରେ ଆଉ ଏଭଳି ଭୁଲ ହେବନି ବୋଲି କହିଥିଲେ ।