ବିଜେଡି-ବିଜେପି ମେଂଟକୁ ନେଇ ଆଜି ହୋଇପାରେ ଚୂଡାନ୍ତ ଘୋଷଣା । ଦୁଇ ଦଳର ବରିଷ୍ଠ ନେତା ମିଶି କରିପାରନ୍ତି ସାମ୍ବାଦିକ ସମ୍ମିଳନୀ

537

କନକ ବ୍ୟୁରୋ : ବିଜେଡି- ବିଜେପି ମେଂଟ ନେଇ ଆଜି ହୋଇପାରେ ଚୂଡାନ୍ତ ଘୋଷଣା । ଦୁଇ ଦଳର ବରିଷ୍ଠ ନେତା ମିଶି ସାମ୍ବାଦିକ ସମ୍ମିଳନୀ କରିବାର ସମ୍ଭାବନା ରହିଛି । ଗତକାଲି ଦିନ ତମାମ ମେଂଟକୁ ନେଇ ଲାଗି ରହିଥିଲା ଚର୍ଚ୍ଚା । ନବୀନ ନିବାସରେ ସାଢେ ୩ ଘଂଟାରୁ ଅଧିକ ସମୟ ଧରି ବରିଷ୍ଠ ନେତାଙ୍କ ବୈଠକ ବସିଥିଲା ।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଲୋଚନା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଥିଲେ ଦେବୀପ୍ରସାଦ ମିଶ୍ର ଓ ଅରୁଣ ସାହୁ । ମେଂଟ ନେଇ ଯଦିଓ କୌଣସି ସ୍ପଷ୍ଟ ସୂଚନା ସେମାନେ ଦେଇନାହାନ୍ତି, ତେବେ ମେଂଟ ସଂପର୍କରେ ଆଲୋଚନା ହୋଇଥିବା କହିଛନ୍ତି । ରାଜ୍ୟର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ପଦକ୍ଷେପ ନେବ ବୋଲି ସୂଚନା ଦେଇଛନ୍ତି ଏହି ଦୁଇ ନେତା । ଏହା ପରେ ପରେ ବିଜେଡି ପକ୍ଷରୁ ପ୍ରେସ ରିଲିଜ୍ ଜାରି କରାଯାଇଛି ।

ଏଥିରେ କୁହାଯାଇଛି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ୨୦୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ । ଏହି ସମୟ ସୁଦ୍ଧା ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ମାଇଲ୍ଖୁଂଟ ହାସଲ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବୃହତର ସ୍ୱାର୍ଥ ପାଇଁ ବିଜେଡି ସବୁକିଛି କରିବ ବୋଲି ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ।