ଆଜିଠୁ ଧର୍ମଶାଳାରେ ଭାରତ-ଇଂଲଣ୍ଡ ପଂଚମ ଟେଷ୍ଟ । ୩-୧ରେ ସିରିଜ୍ ଅଗ୍ରଣୀ ରହିଛି ଘରୋଇ ଦଳ

108

କନକ ବ୍ୟୁରୋ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପଂଚମ ମ୍ୟାଚ୍ ଆଜିଠାରୁ ଧର୍ମଶାଳାରେ ଖେଳାଯିବ । ଏହି ସିରିଜରେ ଟିମ୍ ଇଣ୍ଡିଆ ୩-୧ରେ ଅଗ୍ରଣୀ ହାସଲ କରିସାରିଛି । ଏବେ ଧର୍ମଶାଳାରେ ବିଜୟ ହେଲେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଂଟ ଟେବୁଲରେ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିବ । ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ଗୋଟିଏ ଦିନ ପୂର୍ବରୁ ଖେଳାଳିଙ୍କ ନାମ ଘୋଷଣା କରିସାରିଛି । ଏବେ ଭାରତୀୟ ଦଳର ଚୂଡ଼ାନ୍ତ ୧୧ ଖେଳାଳି କ’ଣ ହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ରଜତ ପଟିଦାର ସବୁଠାରୁ ଦୁର୍ବଳ ଖେଳାଳି ବୋଲି ବିବେଚନା କରାଯାଉଛି । ଯିଏକି ୬ ଟି ଇନିଂସରେ ମାତ୍ର ୬୩ ରନ୍ କରିବା ପରେ ତାଙ୍କୁ ବାଦ୍ ଦିଆଯାଇଥିବା ଖବର ଚର୍ଚ୍ଚା ହେଉଥିଲା । କିନ୍ତୁ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ବୁଧବାର ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି । ରୋହିତ ଶର୍ମା ତାଙ୍କ ବୟାନରେ ସଙ୍କେତ ଦେଇଛନ୍ତି ଯେ ରଜତ ପଟିଦାରଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ସେହିପରି ଦଳର ଉପଅଧିନାୟକ ଯଶପ୍ରୀତ ବୁମ୍ରା ଖେଳିବେ ବୋଲି କୁହାଯାଉଛି । ଅର୍ଥାତ୍ ଟିମ୍ ଇଣ୍ଡିଆ କେବଳ ଗୋଟିଏ ପରିବର୍ତ୍ତନ କରିପାରେ । କିନ୍ତୁ ଏଠାକାର ସ୍ଥିତି ପେଶ ବୋଲରଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ତିନି ଜଣ ପେଶ ବୋଲରଙ୍କୁ ଖେଳାଇବା ନେଇ କଳ୍ପନାଜଳ୍ପନା ମଧ୍ୟ ଚାଲିଛି ।