ମୋଦୀ ବିରୋଧୀଙ୍କ ମିଶିଲା ମନ! ପାଟନା ପରେ ବେଙ୍ଗାଳୁରୁରେ ବୈଠକ, ସମଦୂରତା କଥା ଦୋହରାଇଲା ବିଜେଡି

189

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଳୁରୁରେ ୨୪ ବିରୋଧୀ ଦଳଙ୍କୁ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକର ନେତୃତ୍ୱ ନେଉଛି କଂଗ୍ରେସ । ସେପଟେ ବେଙ୍ଗାଳୁରୁରେ ମୋଦୀ ବିରୋଧୀଙ୍କ ମେଳିକୁ ଟକ୍କର ଦେବା ପାଇଁ, ଦିଲ୍ଲୀରେ ଏନଡିଏ ମେଂଟ ଦଳଙ୍କ ମହାସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହି ଦୁଇଟି ବୈଠକରୁ ଦୂରରେ ରହିଛି ବିଜେଡି । ପୁଣିଥରେ ସମଦୂରତାର କଥା ଦୋହରାଇଛି ବିଜୁ ଜନତା ଦଳ ।

୨୦୨୪ ଲଢେଇର ରୂପରେଖ କିଭଳି ହେବ ତାର ନୀଳ ନକ୍ସା ଆଙ୍କିବାକୁ ବେଙ୍ଗଳୁରୁରେ ଏକାଠି ହେଉଛନ୍ତି ମୋଦୀ ବିରୋଧୀ । ବହୁ ବାଦ ବିବାଦ ପରେ ଗୋଟିଏ ଛାତ ତଳେ ଏକାଠି ହେଉଛନ୍ତି କଂଗ୍ରେସ ଓ ଆମ ଆଦମୀ ପାର୍ଟି । ଦିଲ୍ଲୀ ସରକାରଙ୍କ କ୍ଷମତା ସଂକୁଚିତ କରିବାକୁ କେନ୍ଦ୍ରର ଅଧ୍ୟାଦେଶ ନେଇ, ଦୁଇ ଦଳ ଭିତରେ ମତଭେଦ ରହିଥିଲା । କୁହାଯାଉଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟସ୍ଥତାରେ ଏହି ମତାନ୍ତର ଦୂର ହୋଇଛି । ତେଣୁ ପାଟନା ବୈଠକରୁ ଦୂରେଇ ରହିଥିବା ଆମ ଆଦମୀ ପାର୍ଟି ବେଙ୍ଗଳୁରୁ ବୈଠକରେ ସାମିଲ ହେଉଛି । ସୋମବାର ରାତିରେ ଡିନର ଡିପ୍ଲୋମାସି ପରେ ମଙ୍ଗଳବାର ଶକ୍ତି ପ୍ରଦର୍ଶନ କରିବେ ବିଜେପି ଓ ମୋଦୀ ବିରେଧୀ । ନିଜ ନିଜ ଭିତରେ ଥିବା ସବୁ ବୈଚାରିକ ମତଭେଦକୁ ଭୁଲି ପାଟ୍ରିଓଟିକ ଡେମୋକ୍ରାଟିକ ଆଲାଏନ୍ସର ସଦସ୍ୟ ଦଳ ବିଜେପି ବିରୋଧୀ ରଣନୀତି ପ୍ରସ୍ତୁତ କରିବେ । ନଜର ପକାନ୍ତୁ ଏହି ପରିସଂଖ୍ୟାନ ଉପରେ …

ପିଡିଏ ମେଂଟ
– କଂଗ୍ରେସ ନେତୃତ୍ୱାଧୀନ ପିଡିଏ ମେଂଟରେ ପ୍ରାୟ ୨୪ଟି ବିରୋଧୀ ରାଜନୈତିକ ଦଳ
– ୨୦୨୪ ସାଧାରଣ ନିର୍ବାଚନରେ ଏକାଠି ହୋଇ ଏନଡିଏ ବିରୋଧରେ ଲଢିବେ
– ୨୦୧୯ ନିର୍ବାଚନରେ ବିଜେପି ବିରୋଧୀ ୨୨ଟି ଦଳକୁ ମିଲିଥିଲା ୧୨୪ ଆସନ
– ଏଥର ବିରୋଧୀ ମେଂଟରେ ଅଛନ୍ତି ଶିବସେନା (ୟୁବିଟି) ଓ ଏନସିପି ଶରଦ ପାୱାର ଗୋଷ୍ଠୀ

ମଙ୍ଗଳବାର ଜାତୀୟ ରାଜନୀତିର ସବୁଠୁ ବଡ ଶକ୍ତି ପ୍ରଦର୍ଶନ ହେବାକୁ ଯାଉଛି । କାରଣ ବେଙ୍ଗାଳୁରୁରେ ମୋଦୀ ବିରୋଧୀଙ୍କ ମେଳିକୁ ଟକ୍କର ଦେବା ପାଇଁ, ଦିଲ୍ଲୀରେ ହେବ ଏନଡିଏ ମେଂଟ ଦଳଙ୍କ ମହାସମାବେଶ । ଏଥିପାଇଁ ଏନଡିଏର ପୂର୍ବ ସହଯୋଗୀଙ୍କୁ ଆମନ୍ତ୍ରଣ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପୂର୍ବରୁ ବିଜେପି ସହ ମେଂଟ ସରକାରରେ ଥିବା ବିଜୁ ଜନତା ଦଳ କିନ୍ତୁ ପୁଣିଥରେ ସମଦୂରତା କଥା କହି କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ।

୧୮ ତାରିଖ ଦିଲ୍ଲୀ ଏନଡିଏ ବୈଠକରେ ସାମିଲ ହେବେ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ । ହେଲେ ଏଯାଏ କାର୍ଡ ଖୋଲି ନାହାନ୍ତି ଓଡିଶାର ବିଜେଡି ଏବଂ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ । ରାଜନୈତିକ ସମୀକ୍ଷକଙ୍କ ମତରେ ଜାତୀୟ ପ୍ରସଙ୍ଗରେ ବିଜେପି ପ୍ରତି ବିଜେଡିର ସମର୍ଥନ ରହିଆସିଛି ।

୨୦୧୯ ନିର୍ବାଚନରେ ଏନଡିଏ ମେଂଟକୁ ୩୧୭ଟି ଲୋକସଭା ଆସନ ମିଳିଥିଲା । ବିରୋଧୀ ମେଂଟକୁ ନେଇ ଚିତ୍ର ସ୍ପଷ୍ଟ ହୋଇସାରିଥିବାବେଳେ ଜେଡିଏସ, ବିଏସପି, ଶିରୋମଣି ଅକାଳି ଦଳ ଓ ତେଲୁଗୁ ଦେଶମ ପାର୍ଟିର ସମର୍ଥନ ବିଜେପିକୁ ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ନୀତିଶ କୁମାରଙ୍କ ଜେଡିୟୁକୁ ମଧ୍ୟ ଏନଡିଏକୁ ଆଣିବାରେ ବିଫଳ ହୋଇଛି ବିଜେପି ।