ଝିଅ ବାହାଘର ପାଇଁ ଟଙ୍କା ନେଉଥିଲା ବେଳେ ଲୁଟିନେଲେ ଦୁର୍ବୃତ୍ତ: ଗାଡ଼ି ଡିକି ଭାଙ୍ଗି ୨ଲକ୍ଷ ଟଙ୍କା ଲୁଟ୍

335

କନକ ବ୍ୟୁରୋ: ଗାଡ଼ି ଡିକି ଭାଙ୍ଗି ୨ଲକ୍ଷ ଲୁଟିନେଲେ ଦୁର୍ବୃତ । କୋଣାର୍କ ଗୋପ ଥାନା ନିକଟ ଲକ୍ଷ୍ମୀବଜାରରେ ଏଭଳି ଘଟଣା ଘଟିଛି । ଝିଅ ବାହାଘର ପାଇଁ ଗୋପ ଥାନା ବେଦପୁର ପଂଚାୟତ ମଲ୍ଲିକ ସାହିର ତପନ ବୋଷ ମଲ୍ଲିକ ୨ଲକ୍ଷ ଟଙ୍କା ଉଠାଇଥିଲେ । ଗୋପ ବଜାର ଉପରେ ଥିବା ଷ୍ଟେଟବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ ତପନ । ବାହାଘର ପାଇଁ କିଛି ଜିନିଷ ପତ୍ର କିଣି ଗାଡ଼ି ନିକଟକୁ ଫେରିଲା ବେଳକୁ ଗାଡ଼ିର ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ । ଘଟଣାକୁ ନେଇ ଗୋପ ଥାନାରେ ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ କରୁଛି । ସେପଟେ ଆଉ ଏକ ଲୁଟ୍ ଘଟଣାରେ ଟଙ୍କା ଫେରିପାଇଛନ୍ତି ଯାଜପୁର ଅଂଚଳର ଜଣେ ବୃଦ୍ଧ ବ୍ୟକ୍ତି । ଯାଜପୁର ଜିଲ୍ଳା ଧର୍ମଶାଳା ପୋଲିସ ସହାୟତାରେ ଲୁଟ ହୋଇଥିବା ଟଙ୍କା ବୃଦ୍ଧ ଜଣଙ୍କ ଫେରିପାଇଛନ୍ତି ।

ଏନେଇ ଆଜି ଧର୍ମଶାଳା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁରର ଅତିରିକ୍ତ ଏସପି ନାରାୟଣ ବାରିକ । ପୁଲିସ ସୂଚନା ଅନୁଯାୟୀ ବ୍ରହ୍ମବରଦା ସାହାପଡା ଅଂଚଳର ଇନ୍ଦ୍ରମଣି ପରିଡା ଗତ ୧୪ ତାରିଖ ଦିନ ନିକଟସ୍ଥ ବ୍ୟାଙ୍କରୁ ଝିଅ ବାହାଘର ପାଇଁ ୪ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନିଜ ପୁଅ ସହ ଘରକୁ ଫେରୁଥିଲେ । ହଠାତ ପଛରୁ ଦୁଇଟି ବାଇକରେ ଚାରିଜଣ ଲୁଟେରା ଆସି ଟଙ୍କାକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଲୁଟେରା ମାନେ ଟଙ୍କା ଲୁଟି ନେଇ ଯାଉଥିବା ବେଳେଜଣେ ବୃଦ୍ଧଙ୍କୁ ନାଳକୂଳ ଗାଁ ନିକଟରେ ଧକ୍କା ଦେଇ ତଳେ ପଡିଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିବା ପରେ ଧର୍ମଶାଳା ପୁଲିସ ତଦନ୍ତ କରି ଗଂଜାମ ଜିଲ୍ଳା ଅସିକା ନିକଟ ତୁମ୍ବା ଯାଙ୍ଗାପାଲି ଗ୍ରାମର ଏମ ଚନ୍ଦୁ, ଜେ ରାଜେଶକୁ ଗିରଫ କରିଛି । ଏହା ସହ ଲୁଟ ଟଙ୍କାକୁ ଉଦ୍ଧାର କରି ଇନ୍ଦ୍ରମଣି ପରିଡାଙ୍କୁ ହସ୍ତାନ୍ତର କରିଛି ପୋଲିସ । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟଦୁଇ ଲୁଟେରା ଫେରାର ଅଛନ୍ତି । ଏମାନେ ଦୀର୍ଘ ଦିନ ହେବ ବାଲିଚନ୍ଦ୍ରପୁରଠାରେ ଭଡାଘର ରହି ବ୍ୟାସନଗର, କୁଆଖିଆ, ଜାରକା ପ୍ରଭୃତି ଅଂଚଳରେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଟଙ୍କା ଲୁଟ୍ ସହ ମୋବାଇଲ ମଧ୍ୟ ଲୁଟ୍ କରୁଥିଲେ ଏହି ଦୁର୍ବୃତ ମାନେ ।