ପରିବାର ନା ଗାଁ! ଗୋଟିଏ ପରିବାରରେ ୧୮୪ ସଦସ୍ୟ । ଖାଆନ୍ତି ୫୦ କିଲୋ ଅଟା, ୫୦ କିଲୋ ପରିବା

648

କନକ ବ୍ୟୁରୋ: ଆଜିକା ଯୁଗରେ କେହି ବି ବଡ ପରିବାରରେ ରହିବାକୁ ପସନ୍ଦ କରନ୍ତିନି । ସମସ୍ତେ ଚାହାନ୍ତି ସ୍ୱାମୀ, ସ୍ତ୍ରୀ ଗୋଟିଏ କିମ୍ବା ଦୁଇଟି ପିଲା ଛୁଆର ଛୋଟ ପରିବାର । ସେଥିପାଇଁ ଅନେକ ଲୋକ ଗାଁରେ ଯୌଥ ପରିବାର ଛାଡି ସହରକୁ ଚାଲିଆସନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର କଥା କହିବୁ ଯେଉଁ ପରିବାରର ସଦସ୍ୟ ସଂଖ୍ୟା ଶୁଣିଲେ ଆପଣ ଚକିତ ହୋଇଯିବେ । ଏହି ପରିବାରରେ ୧୦ କି ୨୦ ଜଣ ହୋଇଥିଲେ ହୁଏତ ଆପଣ ଗ୍ରହଣ କରିନେଇଥାନ୍ତେ, ହେଲେ ପରିବାରର ସଦସ୍ୟ ସଂଖ୍ୟା ହେଉଛି ୧୮୪ । ରାଜସ୍ଥାନର ଏହି ପରିବାର ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜସ୍ଥାନ ଆଜମେର ଜିଲ୍ଲା ରାମସର ଗାଁର ସୁଲତାନ ମାଲିଙ୍କ ପରିବାର । ଏହି ପରିବାରରେ ୧୮୪ ଜଣ ଏକାଠି ରୁହନ୍ତି । ପରିବାରର ବୟୋଜୈଷ୍ଠ ବୀରଦିଚନ୍ଦ କହିବା ମୁତାବକ ତାଙ୍କ ବାପା ସୁଲତାନଙ୍କ ସେମାନେ ୬ ପୁଅ । ଆଉ ଏହି ପରିବାର ସଦସ୍ୟ ସଂଖ୍ୟା ବଢି ବଢି ଏବେ ୧୮୪ରେ ପହଞ୍ଚିଛି । ପରିବାରର ସବୁଠାରୁ ଛୋଟ ସଦସ୍ୟ ୫ ମାସ ତଳେ ହିଁ ଜନ୍ମ ନେଇଛି । ସୁଲତାନଙ୍କ ମୃତ୍ୟୁ ବେଳେ ସେ ପରିବାରକୁ ଏକାଠି ରଖିବାକୁ ପୁଅମାନଙ୍କୁ ପରାମର୍ଶ ଦେଇଥିଲେ । ଆଉ ସେବେଠାରୁ ପରିବାରର ସମସ୍ତେ ମିଶିକି ରହୁଛନ୍ତି ।

ଏହି ପରିବାରର ବରିଷ୍ଠ ସଦସ୍ୟ ଅଶିକ୍ଷିତ ହୋଇଥିଲେ ମଧ୍ୟ ନିଜ ପରବର୍ତ୍ତୀ ପିଢୀକୁ ଶିକ୍ଷିତ କରିଛନ୍ତି । ପରିବାରର ୨ ଜଣ ଶିକ୍ଷକ ଥିବା ବେଳେ ଅନ୍ୟ ୨ ଜଣ ମେଡିକାଲରେ କମ୍ପାଉଣ୍ଡର ଅଛନ୍ତି । ସେହିପରି ଅନ୍ୟ ସଦସ୍ୟ ପ୍ରାଇଭେଟର ବିଭିନ୍ନ ସେକ୍ଟରରେ ଚାକିରି କରିଛନ୍ତି । ଏହି ପରିବାରର ମହିଳାମାନେ ସକାଳ ୪ଟାରୁ ଉଠି ଖାଇବା ତିଆରି କରିବାରେ ଲାଗିପଡନ୍ତି । ସମସ୍ତଙ୍କ ପାଇଁ ଗୋଟିଏ ସ୍ଥାନରେ ରୋଷେଇ ହୋଇଥାଏ । ୨ଟି ଚୁଲାରେ ୨୫ କିଲୋ ପରିବା ଏକାଥରେ ରୋଷେଇ କରିଥାନ୍ତି ପରିବାରର ମହିଳା । ସେହିପରି ୧୧ଟି ଚୁଲାରେ ୨୫ କିଲୋ ଅଟାରେ ରୁଟି ମଧ୍ୟ ତିଆରି ହୋଇଥାଏ ।

ପରିବାରର ମୂଳ ବେଉସା ହେଉଛି ଚାଷ । ଏହି ପରିବାର ପାଖରେ ୩୦୯ ଏକରରୁ ଅଧିକ ଜମି ରହିଛି । ପରିବାର ସଦସ୍ୟଙ୍କ ସଂଖ୍ୟା ବଢିବାରୁ ଚାଷ ବ୍ୟତୀତ ଅନ୍ୟ ଆଡୁ ଆୟ ମଧ୍ୟ ବଢିଥିଲା । ରାମସର ଗାଁରେ ମାଲି ପରିବାର ଗୋ ପାଳନ କରିବା ସହ କୁକୁଡା ଚାଷ ମଧ୍ୟ କରି ପରିବାର ପୋଷୁଛନ୍ତି । ପରିବାରର ମହିଳାଙ୍କ ମଧ୍ୟରେ କିଏ ରୋଷେଇ କରିବ, କିଏ ଚାଷ କରିବ ଆଉ କ୍ଷୀର ବିକିବ ଏହି ସବୁ ବାଣ୍ଟି ଦିଆଯାଇଛି । ତେଣୁ ଏମାନଙ୍କ ମଧ୍ୟରେ କେବେ ବି କଳି ଝଗଡା ପରିସ୍ଥିତି ଦେଖାଯାଏନି ।

ପରିବାରରେ ଚାଷବାସର ହିସାବ ଓ ଅନ୍ୟ ଆୟବ୍ୟୟର ହିସାବର ଘରର ବଡ ପୁଅ ଭାଗଚାନ୍ଦଙ୍କ ପାଖରେ ରହିଥାଏ । ଏହାସହ ସହ ସେ ଟଙ୍କାର ନିବେଶ ମଧ୍ୟ କରିଥାନ୍ତି । ଯେଉଁଥିପାଇଁ ଆଜି ଯାଏଁ କେବେ ବି ପରିବାରରେ ଆର୍ଥିକ ସଙ୍କଟ ଦେଖାଯାଇନାହିଁ । ଏହି ପରିବାରର ଗୋଟିଏ ବୋହୂ ଗାଁର ସରପଞ୍ଚ ରହିଛନ୍ତି । ୨୦୧୬ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସେ ୮୦୦ରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ସରପଞ୍ଚ ହେବା ପରେ ଏହି ପରିବାରର ବୋହୂ ଗାଁର ଅନେକ ବିକାଶ କାମ ମଧ୍ୟ କରିଛନ୍ତି ।