ସୁଦୃଢ ହେବ କଟକ-ଭୁବନେଶ୍ୱର-ପୁରୀର ଗମନାଗମନ ବ୍ୟବସ୍ଥା ! ୨୦୨୫ ସୁଦ୍ଧା ଗଡିବ ୧୨ଶହ ସିଟି ବସ । ମାଷ୍ଟର ପ୍ଲାନ ପ୍ରସ୍ତୁତି ନେଇ ବୈଠକରେ ନିଷ୍ପତ୍ତି

45

କନକ ବ୍ୟୁରୋ : ବଦଳିବ ଭୁବନେଶ୍ୱରର ଗମନାଗମନ ବ୍ୟବସ୍ଥା । ରାଜଧାନୀ ତଥା ଏହାର ଆଖପାଖ ଅଂଚଳରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ହେବ । ଭୁବନେଶ୍ୱର-ପୁରୀ-କଟକର ଗମନାଗମନ ବ୍ୟବସ୍ଥା ବଦଳାଇବା ପାଇଁ ବିପିଟିଏସ କାର୍ଯ୍ୟ କରିବ। ଭୁବନେଶ୍ୱରର ଗମନାଗମନ ବ୍ୟବସ୍ଥା ସୁଦୃଢ଼ ହେବ। ଏହାକୁ ନଜରରେ ରଖି କଟକ ଏବଂ ପୁରୀର ବି ଗମନାଗମନ ବ୍ୟବସ୍ଥା ବଦଳିବ। ଏଥିପାଇଁ ବିଡିଏ, ସିଡିଏ ଏବଂ ପିକେଡିଏକୁ ନେଇ ସ୍ୱତନ୍ତ୍ର ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବ। ଏହି ସବୁ ଅଞ୍ଚଳରେ ପ୍ରତି ଗଳି କନ୍ଦିରେ ଯେପରି ସିଟି ବସ୍ ଚାଲିବ, ପ୍ରତି ଛକରେ ପ୍ରତି ୫ରୁ ୧୦ମିନିଟରେ ସିଟି ବସ୍ ପହଞ୍ଚିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହେବ। ୨୦୦୨ ସୁଦ୍ଧା ଏହି ଅଞ୍ଚଳରେ ୬୦୦ସିଟି ବସ ଚାଲିବାକୁ ଥିବାବେଳେ ୨୦୨୫ ସୁଦ୍ଧା ୧୨୦୦ସିଟି ବସ ଚଲାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ଜାତୀୟ ସ୍ତରର ମାନଦଣ୍ଡ ଅନୁଯାୟୀ କିପରି ଗମନାଗମନ ବ୍ୟବସ୍ଥା ବଦଳିବ ସେନେଇ ବିପିଟିଏସ ଯୋଜନା କରୁଛି। ପ୍ରତ୍ୟେକ ଅଞ୍ଚଳରେ ଯେପରି ସିଟି ବସ ଠିକ ଭାବେ ପରିଚାଳନା ହୋଇପାରିବ ସେଥିପାଇଁ ଇଡକୋ, ରାଜସ୍ୱ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଆବଶ୍ୟକ ଜମି ଯୋଗାଇ ଦେବେ। ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ସ୍ଥାନରେ ବସ ଡିପୋ, ଆବଶ୍ୟକ ବସଷ୍ଟାଣ୍ଡ ନିର୍ମାଣ କରାଯିବ। ୨୦୩୦ସୁଦ୍ଧା ବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖି ଗମନାଗମନ ବ୍ୟବସ୍ଥା ବଦଳାଇବା ଏବଂ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ପ୍ରସାରିତ ଗମନାଗମନ ବ୍ୟବସ୍ଥା ପାଇଁ ଇଡକୋ, ରାଜସ୍ୱ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସ୍ଥାନରେ ତୁରନ୍ତ ଜମି ଯୋଗାଇ ଦେବାକୁ କୁହାଯାଇଛି। ଏଥିରେ ତିନିଟି ଜିଲ୍ଲାରେ ୧୯ଟି ସ୍ଥାନରେ ୫ଏକର ଲେଖାଏ ଜମି ମଗାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବସ ଡିପୋ ପାଇଁ ସାଧାରଣ ପ୍ରଶାସନ ବିଭାଗ ଗାଡ଼କଣ, ଘାଟିକିଆ/କଳିଙ୍ଗନଗର, ପଟିଆ, ପାତ୍ରପଡ଼ା ଏବଂ ଭଗବାନପୁର, ପାଣ୍ଡରା, ଫୁଲନଖରାରେ ୫ଏକର ଲେଖାଏଁ ଜମି ଯୋଗାଇବ। ପଟିଆରେ ଯେଉଁ ୫ଏକର ଜମି ମିଳିଛି ସେଠାରେ ବସ ଡିପୋ କରିବା ସମ୍ଭବ ନଥିବାରୁ ଏହା ବଦଳରେ ଆଉ ୫ଏକର, ପାତ୍ରପଡ଼ା ଏବଂ ଭଗବାନପୁରରେ ଅତିରିକ୍ତ ୨ଏକର ଲେଖାଏ ଜମି ଯୋଗାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି।