ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦର ୧୨ଟି ଗେଟ୍ । ଗେଟ୍ ବନ୍ଦ ହେବା ପରେ କମିବ ଆଉଟ୍ ଫ୍ଲୋ । ସୂଚନା ଦେଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

82

କନକ ବ୍ୟୁରୋ: ଆଜି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦର ୧୨ଟି ଗେଟ୍ । ବର୍ତ୍ତମାନ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହେଲେ ସନ୍ଧ୍ୟା ୫ଟା ଭିତରେ ୧୨ଟି ଗେଟ୍ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ତେବେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ବନ୍ଦ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ଟି ଗେଟ୍ ବନ୍ଦ ହେବ । ଏହାର ଦୁଇ ଘଣ୍ଟା ପରେ ଆଉ ୪ଟି ଗେଟ୍ ବନ୍ଦ ହେବ ବୋଲି ବିଜୟ ମିଶ୍ର ସୂଚନା ଦେଇଛନ୍ତି । ତେବେ ହୀରାକୁଦର ୧୨ଟି ଗେଟ୍ ବନ୍ଦ ହେବା ପରେ ଫ୍ଲୋ କମିବ ବୋଲି ଆଶା ପ୍ରକାଶ କରାଯାଉଛି । ଗେଟ୍ ବନ୍ଦ ହେବା ପରେ ଆଉ ୨ ଲକ୍ଷ କ୍ୟୁସେକ୍ ଆଉଟ୍ ଫ୍ଲୋ କମିବ ।

ଅନ୍ୟପଟେ ଆଇଏମଡି ଡିଜି ସୂଚନା ଦେଇଛନ୍ତି ଯେ, ଉତ୍ତର-ପୂର୍ବ ବଙ୍ଗୋପସାଗରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ । ଏହା ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ୱେଲମାର୍କ ଲୋ-ପ୍ରେସର ଏରିୟାରେ ପରିଣତ ହେବ । କାଲି ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ତେବେ ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର-ଓଡିଶା ଉପକୂଳରେ ଅତିକ୍ରମ କରିବ । କାଲି ଠାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ନିକଟରୁ ଉତ୍ତର ଓଡିଶା, ଝାଡଖଣ୍ଡ ହୋଇ ଛତିଶଗଡ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ଆଜି ସନ୍ଧ୍ୟା ପରେ ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।