ଦେଶରେ ୬.୩ ପ୍ରତିଶତ ହାରରେ ବଢୁଛି କରୋନା ସଂକ୍ରମଣ, ବିଶ୍ୱରେ ଓମିକ୍ରନ ନେଲାଣି ୧୦୮ ଜୀବନ

66

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ କାୟା ବିସ୍ତାର କରିବାରେ ଲାଗିଛି । ଭାରତ ସରକାର ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଯେଉଁ ପରିସଂଖ୍ୟାନ ଜାରି କରିଛି ତାହା ନିଶ୍ଚୟ ଡରାଇବା ଭଳି ସ୍ଥିତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି କୁହାଯାଇଛି କି, ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୯.୪ ଲକ୍ଷ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେହିଭଳି ଓମିକ୍ରନ ସଂକ୍ରମଣ ଫଳରେ ବିଶ୍ୱରେ ୧୦୮ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି.ଗତ ୮ ଦିନ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ମାମଲା ୬.୩ ଗୁଣା ବୃଦ୍ଧି ପାଇଛି । କରୋନା ପଜିଟିଭ ରେଟ ଡିସେମ୍ବର ୨୯ ତାରିଖରେ ୦.୭୯ ପ୍ରତିଶତ ଥିବା ବେଳେ ଆଜି ଏହା ୫.୦୩ ପ୍ରତିଶତରେ ପହଂଚିଛି ।

ସରକାରଙ୍କ ତରଫରୁ କୁହାଯାଇଛି କି ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୪ ଗୁଣା ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୯ ଗୁଣା ବୃଦ୍ଧି ପାଇଥିବା ବେଳେ ମହାରାଷ୍ଟ୍ର, ଦିଲ୍ଲୀ, ଝାଡଖଣ୍ଡ, କେରଳ ଓ ପଶ୍ଚିମବଙ୍ଗରେ ସଂକ୍ରମଣ ହାର ଉଚ୍ଚ ସ୍ତରରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ୟୁରୋପୀୟ ୟୁନିୟନ ଓ ଆମେରିକାରେ ଓମିକ୍ରନ ଭାରିଆଣ୍ଟ ଲୋକମାନଙ୍କର ବହୁତ କ୍ଷତି କରିଛି । ଅନ୍ୟପଟେ ଓମିକ୍ରନ ଦ୍ୱାରା ଲୋକମାନେ ଦ୍ରୁତଗତିରେ ସଂକ୍ରମିତ ହେଉଥିଲେ ବି କମ ସଂଖ୍ୟାର ଲୋକ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଏହି କ୍ରମରେ ଆମେରିକାରେ ସଂକ୍ରମଣ ଚରମସୀମାରେ ଥିଲେ ବି ମାତ୍ର ୯୦ ହଜାର ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଫ୍ରାନ୍ସ, ଡେନମାର୍କ ଓ ୟୁକେରେ ବି ସମାନ ସ୍ଥିତି ରହିଛି ।

 

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ୧୫-୧୮ ବର୍ଷ ବୟସର ୭.୪୦ କୋଟି କିଶୋର ଟିକା ନେବାକୁ ଯୋଗ୍ୟ ଥିବା ବେଳେ ଏପର୍ଯ୍ୟନ୍ତ ୧.୦୬ କୋଟି କିଶୋରଙ୍କୁ ଟିକା ଦିଆ ସରିଛି ।