‘ଟିକ୍ ଟକ୍’ ଆପରେ ଲାଗିବ ରୋକ୍ ? ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କ ଦାବି

6,937

‘ଟିକ୍ ଟକ୍’ ଆପ କାରଣରୁ କିଛି ଦିନ ହେଲା ଘଟୁଥିବା ଦୁର୍ଘଟଣା ଏବଂ ବୃଦ୍ଧି ପାଉଥିବା ଅଶ୍ଳୀଳ ଭିଡିଓକୁ ବିରୋଧ କରି ଏବେ ତାମିଲନାଡୁ ସରକାର ଏହାକୁ ବ୍ୟାନ କରିବାକୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନାରେ ତାମିଲନାଡୁ ରାଜ୍ୟର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏମ.ମଣିକନ୍ଦନ କହିଛନ୍ତି କି ତାମିଲନାଡୁ ସରକାର ଟିକ୍ ଟକ୍ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି । କାହିଁକି ନା ଏହି ଆପ ଦ୍ୱାରା ତାମିଲ ସଂସ୍କୃତିକୁ ନୀଚା ଦେଖାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ଆସିଛି ।

ମନ୍ତ୍ରୀ କହିଛନ୍ତି କି, ରାଜ୍ୟର ରାଜନୈତିକ ଦଳଗୁଡିକ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଥିପାଇଁ ବ୍ଲୁ ହ୍ୱେଲ୍ ଗେମକୁ ଯେଭଳି ଭାବରେ ପ୍ରତିବନ୍ଧକ ଲଗାଯାଇଛି, ଅନୁରୂପ ଭାବରେ ଟିକ୍ ଟକକୁ ମଧ୍ୟ ବ୍ୟାନ କରାଯାଉ । ତେବେ ମନ୍ତ୍ରୀଙ୍କ କହିବା କଥା ହେଲା କି, ଏହି ଆପ ଜରିଆରେ ଉଭୟ ଛୋଟ ପିଲା ଏବଂ ଯୁବପିଢୀ ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଏହି ଆପକୁ ବ୍ୟାନ କରିବାକୁ ଦାବି କରାଯାଇଛି ।

ଅନ୍ୟପଟେ, ଏଆଇଡିଏମକେ ନେତାଙ୍କର କହିବା କଥା ହେଲା କି, ଟିକ୍ ଟକ୍ ଦ୍ୱାରା ବର୍ତ୍ତମାନ ଆଇନ ବ୍ୟବସ୍ଥା ସମ୍ବନ୍ଧୀୟ ସମସ୍ୟା ଉପୁଜିଛି । ଲୋକେ ଏହି ଆପ୍ ପାଇଁ ନିଜ ଜୀବନକୁ ବି ବିପଦରେ ପକାଇବାକୁ ପଛାଉନାହାନ୍ତି । ଏଯାବତ୍ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି , ଯେଉଁଥିରେ ଏହି ଆପ କାରଣୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି ।

ଟିକ୍ ଟକ୍ ଆପ କଣ?

‘ଟିକ୍ ଟକ୍’ ହେଉଛି ଚୀନ କଂପାନୀ ‘ୱାଇଟ୍ ଡାନ୍ସ’ର ଏକ ଆପ । ଯାହା ଜରିଆରେ ୧୫ ସେକେଣ୍ଡ ପର୍ଯ୍ୟନ୍ତର ଏକ ଭିଡିଓ ଆପଣ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିପାରିବେ । ଏହି ଆପକୁ ସେପ୍ଟେମ୍ବର ୨୦୧୬ରେ ଚୀନରେ ଲଂଚ କରାଯାଇଥାଏ । ୨୦୧୮ରେ ଟିକ୍ ଟକର ଲୋକପ୍ରିୟତା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି । ତେବେ ଭାରତରେ ବି ଏହି ଆପର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।