vlcsnap-2017-05-21-13h57m49s188ବୟସ ୮୭ ବର୍ଷ । ଲେଖାଲେଖି କରିବାକୁ ହାତ ବୋଲ ମାନୁନି ଏବେ । ତଥାପି ସେ ଭଜନ,ଜଣାଣ ଲେଖିବାରେ ବ୍ରତୀ । ନଲେଖିଲେ ମନ ହୁଏ ଉଚ୍ଛନ୍ନ । ବସେଇ ଦିଏନି ସୃଜନଶୀଳତା । ସବୁ ସମସ୍ୟା ଓ ସଂସାର ଭିତରେ ବି ସେ ସୃଷ୍ଟି କରନ୍ତି ଶବ୍ଦ ସହ ସମ୍ବନ୍ଧ । ନାଁ ତାଙ୍କର ଅନାଦି ଚରଣ ଦାସ । ଦେଖିଲେ ଲାଗିବେ ଜଣେ ନିଷ୍ଠାବାନ ସାଧକ ପରି । ଆଉ ମନ କଥା କହିବସିଲେ କହିପକାନ୍ତି ତାଙ୍କର ସୃଜନଶୀଳତାର ଫର୍ଦ୍ଦ ।

anadi-3ପାଠ ପଢିଛନ୍ତି ମାତ୍ର ୬ ମାସର ଚାଟଶାଳୀ ପାଠ । ୧୬ ବର୍ଷ ବୟସରେ ଆରମ୍ଭ କରିଥିଲେ ଚାଟଶାଳୀ । ଅର୍ଥାଭାବରୁ ଆଉ ପଢିପାରିନଥଲେ । ପରିବାର ପାଇଁ ମୂଲ ଲାଗି ରୋଜଗାର କରିଥିଲେ ଅର୍ଥ । ବିବାହ ପରେ ପରିବାର ପ୍ରତିପୋଷଣ ପାଇଁ ଗାଁ କଟକ ଜିଲ୍ଲା ନେମାଳ ନିକଟସ୍ଥ ବଡପାଳଦାରୁ ଭୁବନେଶ୍ୱର ଆସିଥିଲେ ଅନାଦି ଚରଣ । ଭୁବନେଶ୍ୱରରେ ରହି କରିଥିଲେ ରାଜମିସ୍ତ୍ରୀ କାମ । ହେଲେ ହଠାତ୍ ଦିନେ ମନରେ କିଛି ଲେଖିବାର ଭାବ ଜାତ ହେଲା । କେମିତି ଶବ୍ଦ ସବୁ ମନକୁ ଆନ୍ଦୋଳିତ କଲେ । ବରମୁଣ୍ଡାର ସେହି ମଶାଣି ପାଖରେ କେଉଁ ଏକ ଅଦୃଶ୍ୟ ଶକ୍ତି ତାକୁ ପ୍ରେରଣା ଦିଏ ବୋଲି ସେ କୁହନ୍ତି । ଜୀବନରେ କିଛି ପୁରାଣ ପୋଥି ବା କୈାଣସି ଆଧ୍ୟାତ୍ମିକ ବହି ପଢିନଥିବା ଅନାଦି ଚରଣଙ୍କ ମନରେ ବୈାଷ୍ଣବତତ୍ତ୍ୱ ମୂଳକ ଭଜନ ଓ ଜଣାଣ ସବୁ ଉଙ୍କିମାରେ ।

ତାପରେ ସେ ଲେଖିବସନ୍ତି ଅନେକ ଭଜନ ଓ ଜଣାଣ । ଅନାଦିଙ୍କ ସବୁଠୁ ବଡ ସାମର୍ଥ ହେଲା ସେ ଅ ଠାରୁ କ୍ଷ ବର୍ଣ୍ଣକ୍ରମରେ ଲେଖିଛନ୍ତି ଭଜନ । ଆଉ ତାହାକୁ ମଧ୍ୟ କଣ୍ଠସ୍ଥ କରି ଆବୃତ୍ତି କରିଥାନ୍ତି । ପାଠ ନପଡି ଏତେ ସବୁ କଳାର ଅଧିକାରୀ ହେବା ନିଶ୍ଚତ ଦୈବୀ ଆର୍ଶୀବାଦ ଛଡା କିଛି ନୁହେଁ । ଏହି କ୍ରମରେ ସେ ଲେଖିଛନ୍ତି – ‘ ଏକ ଚାଳିଶ ଭଜନ’ , ‘ତେୟାଳିଶ ଶରଣ ’, ‘ମାୟାପୁରରେ ବାୟାମନ’, ‘ଜୀବନର ବଡ ଦାଣ୍ଡ ’ ଆଦି ଅନେକ ଭଜନ ,ଜଣାଣ । କିନ୍ତୁ ଦୁଃଖର କଥା ସେ ଏଗୁଡିକୁ ଡିଟିପି କରି ନିଜ ପାଖରେ ରଖିଛନ୍ତି । ଅର୍ଥାଭାବରୁ ଏହାକୁ ପ୍ରକାଶ କରିପାରି ନାହାଁନ୍ତି । କିନ୍ତୁ ବିଭିନ୍ନ ଅନୁଷ୍ଠାନରୁ ପାଇଛନ୍ତି ସମ୍ମାନ ଓ ମାନପତ୍ର । ଯୁବାବସ୍ଥାରୁ ଆଜିଯାଏ ଲେଖିଚାଲିଛନ୍ତି । ହେଲେ ବୟସର ଅପରାହ୍ନରେ ଆଜି ବି ସେ ମନରେ ଆଶା ରଖିଛନ୍ତି ନିଜର ଏହି ରଚନାକୁ ପୁସ୍ତକ ଆକାରରେ ଲୋକଙ୍କ ପାଖରେ ପହଁଚାଇବାକୁ । ବଣ ମଲ୍ଲୀ ବଣରେ ଫୁଟି ମଉଳି ଗଲା ପରି ଆଜି ସେ ରହିଯାଇଛନ୍ତି ଲୋକଲୋଚନ ଠାରୁ ବହୁ ଦୂରରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –