ମହଙ୍ଗା ହେଲା ମଦ : ନୂଆ ଅବକାରୀ ନୀତି ଘୋଷିତ

52

କନକ ବ୍ୟୁରୋ: ବଡ଼ବଡ଼ିଆ ବ୍ୟବହାର କରୁଥିବା ଦାମୀ ସ୍କଚ୍ ଏବଂ ଦେଶ ବାହାରେ ପ୍ରସ୍ତୁତ ବିଦେଶୀ ମଦ ଏଣିକି ପୂର୍ବାପେକ୍ଷା ଶସ୍ତାରେ ମିଳିବ। ରାଜ୍ୟ ସରକାର ଏହା ଉପରୁ ଶୁଳ୍କ କମାଇ ଦେଇଛନ୍ତି । ୭୫୦ ମିଲିଲିଟର ଥିବା ମଦ ବୋତଲ ପିଛା ପାଖାପାଖି ୨୦ ଟଙ୍କା ଦର କମିଯିବ। ହେଲେ ଦେଶ ଭିତରେ ପ୍ରସ୍ତୁତ ବିଦେଶୀ ମଦ ଦାମ୍ କିନ୍ତୁ ପୂର୍ବ ତୁଳନାରେ ଚଢା ଦାମରେ ବିକ୍ରି ହେବ । କାରଣ ଏହା ଉପରେ ଶୁଳ୍କ ବୃଦ୍ଧି କରାଯାଇଛି । ନିବ୍ ଅର୍ଥାତ୍ ୧୮୦ ମିଲିଲିଟର ପିଛା ଗ୍ରାହକଙ୍କୁ ଅଧିକ ୫ ଟଙ୍କା ଦେବାକୁ ପଡିବ।

୨୦୧୮-୧୯ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ପ୍ରକାଶ କରିଥିବା ଅବକାରୀ ନୀତିରେ ଏଭଳି ସଂଶୋଧନ କରାଯାଇଛି । କେବଳ ସେତିକି ନୁହେଁ, ଯେଉଁମାନେ ମଦ ଦୋକାନ ନେଇଥିଲେ, ପୁଣି ସେମାନଙ୍କ ହାତରେ ସରକାର ସେସବୁକୁ ଟେକି ଦେଇଛନ୍ତି । ଏ କ୍ଷେତ୍ରରେ ଲାଇସେନ୍ସ ଫି ହାରାହାରି ୧୦% ବୃଦ୍ଧି କରାଯାଇଛି । ଯେଉଁ ଦୋକାନଗୁଡିକ କେହି ନେବେ ନାହିଁ ଅଥବା ଆସନ୍ତା ୩୧ ତାରିଖ ସୁଦ୍ଧା ଅଗ୍ରୀମ ଲାଇସେନ୍ସ ଫି ଦେବେ ନାହିଁ, ସେମାନଙ୍କ କ୍ଷେତ୍ରରେ ଲଟେରି ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି । ଏହାବ୍ୟତୀତ ସରକାର ନୂଆ ନୀତିରେ କହିଛନ୍ତି, ଏପ୍ରିଲ ପହିଲା ଠାରୁ କଣ୍ଟ୍ରି ସ୍ପିରିଟର ନୂଆ ନାମକରଣ ହେବ। ଏହା କଣ୍ଟ୍ରି ଲିକର୍ ନାମରେ ନାମିତ ହେବ। ବଟଲିଂ ଫି ମଧ୍ୟ ସରକାର ଆଉ ନେବେ ନାହିଁ ।

ଅନ୍ୟପକ୍ଷରେ ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଥିବା ଏହି ନୀତିରେ ସରକାର କହିଛନ୍ତି, ନୂଆ ମଦ ଦୋକାନ (ଠିପିବନ୍ଦ) ଆଉ ଖୋଲାଯିବ ନାହିଁ । ହେଲେ ବଜାରରେ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ବିଷ ମଦକୁ ରୋକିବା ଲାଗି କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯେଉଁ ସ୍ପିରିଟକୁ ବିଷ ବୋଲି କହି ବିଦେଶୀ ମଦ ପ୍ରସ୍ତୁତି କ୍ଷେତ୍ରରେ ଦୂରେଇ ଦିଆଯାଇଛି, ସେହି ସ୍ପିରିଟ୍ ମହୁଲି ମଦ କ୍ଷେତ୍ରରେ ଖୋଲାଖୋଲି ବ୍ୟବହାର କରିବା ଲାଗି ସରକାର ନିଜେ ସୁଯୋଗ ସୃଷ୍ଟି କରିଛନ୍ତି । ଫଳରେ ଏହି ମଦ ପିଉଥିବା ଲୋକଙ୍କ ଜୀବନ ପ୍ରତି ଯେ କୌଣସି ମୁହୂର୍ତରେ ଯେ ବିପଦ ଘୋଟିଆସିବ, ଏ ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।

ଉଲ୍ଲେଖଯୋଗ୍ୟ, ଆସନ୍ତା ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଅବକାରୀ ନୀତି ଘୋଷଣା କରିଛନ୍ତି। ଏଥିରେ ଗ୍ରାହକଙ୍କୁ ସ୍ୱାସ୍ଥ୍ୟକର ଦେଶୀ ମଦ ଦେବା ଲାଗି ଠୋସ୍ ପଦକ୍ଷେପ ନିଆଯାଇଛି। ଯେହେତୁ ରେକ୍ଟିଫାଏଡ୍ ସ୍ପିରିଟ୍ ବ୍ୟବହାର ହେଉଥିବା ମଦ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହାନିକାରକ ହୋଇଥିବା କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ କଟକଣା ଜାରି କରିଛନ୍ତି, ଏଣୁ ସରକାର ବି ଏଥର ଅବକାରୀ ନୀତିରେ ଏଥିରୁ ଦୂରେଇ ରହିବା ଲାଗି ସ୍ଥିର କରିଛନ୍ତି । ଏଥିପାଇଁ ଏହାର ପୁନଃ ପ୍ରକ୍ରିୟାକରଣ କରି ନ୍ୟୁଟ୍ରାଲ ଆଲକହଲ୍ ଜରିଆରେ ଦେଶୀ ମଦ ପ୍ରସ୍ତୁତି ଲାଗି ଅବକାରୀ ନୀତିରେ ସ୍ପଷ୍ଟ କରି ଦିଆଯାଇଛି ।

ହେଲେ ମହୁଲି ମଦ ପ୍ରସ୍ତୁତି କ୍ଷେତ୍ରରେ କିନ୍ତୁ ସରକାର ଏହି ନିୟମକୁ ସମ୍ପୂର୍ଣ୍ଣ ମୋଡ଼ି ମକଚି ଦଳିଦେଇଛନ୍ତି । ମାଫିଆଙ୍କ ପ୍ରଭାବ ଏତେ ପ୍ରଚଣ୍ଡ ଭାବେ ପଡିଛି ଯେ ଅବକାରୀ ବିଭାଗ ନିଜେ ଦୁଇଟି ମଦ କ୍ଷେତ୍ରରେ ପୃଥକ୍ ପୃଥକ୍ ନିୟମ ଲାଗୁ କରିବାକୁ ବାଟ ଖୋଲିଛି । ପ୍ଲାଷ୍ଟିକ୍ ବୋତଲରେ ବିଦେଶୀ ମଦ ବା ଦେଶୀ ମଦ ଦିଆଯିବନାହିଁ ବୋଲି ସରକାର ନୂଆ ନୀତିରେ ବ୍ୟବସ୍ଥା କରିଥିଲେ ହେଁ, ମହୁଲି ମଦ କ୍ଷେତ୍ରରେ ଏ ପ୍ରସଙ୍ଗକୁ ବି ଜାଣିଶୁଣି ଆଖିବୁଜି ଦେଇଛନ୍ତି । ପୂର୍ବଭଳି ମହୁଲି ମଦ ପାଉଚରେ ମିଳିବ। ସବୁଠାରୁ ବଡ଼ କଥା ହେଉଛି, ଏହି ପାଉଚ୍ ସ୍ୱାସ୍ଥ୍ୟକର ତ ଆଦୌ ନୁହେଁ, ଏଥିରେ ମଦ ପ୍ରସ୍ତୁତ କରୁଥିବା ସଂସ୍ଥା ନାମ ମଧ୍ୟ ଉଲ୍ଲେଖ ନଥାଏ। ମହୁଲି ମଦରେ ଆଲକହଲର ପରିମାଣ କେତେ ଥାଏ, ତାହା ନା ମପାଯାଇଥାଏ, ନା ଏଥିପାଇଁ ସରକାରଙ୍କ କୌଣସି ପରୀକ୍ଷାଗାର ରହିଛି । ଏଣୁ ସରକାର ପୂର୍ବଭଳି ନିରୀହ ଆଦିବାସୀଙ୍କ ଠାରୁ ଆରମ୍ଭ କରି ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ସ୍ୱାସ୍ଥ୍ୟକୁ ବିପଦକୁ ଠେଲି ଦେବା ସହିତ ସେମାନଙ୍କୁ ଶୋଷଣ କରିବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି।

ଅବକାରୀ ନୀତିରେ କୁହାଯାଇଛି, ଏଣିକି ଲାଇସେନ୍ସ ପାଇବାକୁ ହେଲେ ୪ମାସର ଫି ଅଗ୍ରୀମ ଆକାରରେ ଜମା କରିବାକୁ ହେବ। ଡିଷ୍ଟଲାରି,ବାର୍ ଓ ବଟଲିଂ କମ୍ପାନି ବର୍ଷକର ଫି ଜମା କରିବେ। ମଦକୁ ସରକାର ରୋକିବାକୁ ଚାହୁଁଛନ୍ତି, ଏ ବାର୍ତ୍ତା ଦେବାକୁ ଏମଜିକ୍ୟୁ ବା ମିନିମମ୍ ଗ୍ୟାରେଣ୍ଟି କୋଟା କମାଯାଇଛି । ଏଣିକି ୧୦୦ ଟଙ୍କାର ଲାଇସେନ୍ସ ଫି ଜମା କରିଥିବା କୌଣସି ବ୍ୟବସାୟୀ ୧୦ ବଲକ ଲିଟର ବିୟର ଉଠାଣ କରିପାରିବେ। ପୂର୍ବରୁ ଏହା ୧୬ ବଲ୍କ ଲିଟର ଥିଲା । ସେହିପରି ଭାରତ ଭିତରେ ପ୍ରସ୍ତୁତ ବିଦେଶୀ ମଦ କ୍ଷେତ୍ରରେ ଏହାର ପରିମାଣ ୧୪ ବଲକ ଲିଟରରୁ ୭ ବଲକ ଲିଟରକୁ ଖସାଇ ଦିଆଯାଇଛି ।