କେନ୍ଦ୍ର ସରକାରଙ୍କୁ ଝଟକା : ଗୋବଧ ପାଇଁ ବିକ୍ରି କଟକଣା ନିୟମରେ ରୋକ ଲଗାଇଲେ ସୁପ୍ରିମ କୋର୍ଟ

23

ପଶୁ ବଜାରରୁ ହତ୍ୟା ପାଇଁ ଉଦ୍ଦିଷ୍ଟ ପଶୁଙ୍କ ବିକ୍ରି ନେଇ କେନ୍ଦ୍ର ସରକାରଙ୍କ ଅଧିନିୟମ ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନିୟମ ଉପରେ ମାଡ୍ରାସ ହାଇକୋର୍ଟ ଲଗାଇଥିବା ସାମୟିକ ରୋକକୁ ବଳବତ୍ତର ରଖି ଏହାକୁ ସାରା ଦେଶରେ ଲାଗୁ କରିବାକୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଜେଏସ୍ ଖେହର ଓ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ମେ’୨୩ରେ ଜାରି କେନ୍ଦ୍ର ସରକାରଙ୍କ ଅଧିନିୟମର ଶୁଣାଣି କରି ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଂଚ ଏହା ଉପରେ ସାମୟିକ ରୋକ ଲଗାଇବା ସହ ଚାରି ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ବିଭିନ୍ନ ପକ୍ଷର ଅଭିଯୋଗ ଓ ପ୍ରସ୍ତାବକୁ ଗ୍ରହଣ କରି ଅଧିନିୟମର ପୁନର୍ବିଚାର କରି ସଂଶୋଧିତ ଅଧିନିୟମ ଜାରି କରିବେ ବୋଲି କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ସହ ଅନ୍ୟାନ୍ୟ ବିଭାଗ ଅଧିସୂଚନା ସଂପର୍କିତ ଅଭିଯୋଗ ଓ ପ୍ରସ୍ତାବର ତର୍ଜମା କରି ରିପୋର୍ଟ ପ୍ରଦାନ କରିବେ ।

ଏହା ପରେ ସଂଶୋଧିତ ଅଧିନିୟମ ଜାରି କରାଯିବ ବୋଲି ଆଡିସିନାଲ ସଲିସିଟର ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି । ରାଜ୍ୟମାନଙ୍କରେ ପଶୁବଜାର ଚିହ୍ନଟ ଓ ନିୟନ୍ତ୍ରଣ ପାଇଁ ଏହି ଅଧିନିୟମ ଜାରି କରାଯାଇଥିବା ସେ କହିଛନ୍ତି । ତେବେ ସଂଶୋଧିତ ଅଧିନିୟମ ଲାଗୁ କରିବା ପାଇଁ ଏହା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟାପ୍ତ ସମୟ ଯୋଗାଇ ଦେବାକୁ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି ।

ମେ’୨୩ରେ କେନ୍ଦ୍ର ସରକାରଙ୍କ ଅଧିନିୟମ ପରେ ନିଜ ପସନ୍ଦର ଖାଦ୍ୟ ଖାଇବାର ଅଧିକାର ନେଇ ମଦୁରାଇର ଜଣେ ସାମାଜିକ କର୍ମୀ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ପଶୁ କ୍ରୁରତା ନିବାରଣ ଅଧିନିୟମର ସାମ୍ବିଧାନିକ ବୈଧତାକୁ ସେ ଚ୍ୟାଲେଞ୍ଜ କରିଥିଲେ । ମାମଲାର ଶୁଣାଣି କରି ଖାଦ୍ୟ ଚୟନ କରିବା ବ୍ୟକ୍ତିଗତ ଅଧିକାର ଓ ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଜଷ୍ଟିସ ଏମ୍ବି ମୁରଲୀଧରନ ଓ ଜଷ୍ଟିସ ସିବି କାର୍ତ୍ତିକେୟନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଓ ଚାରି ସପ୍ତାହ ରହିତାଦେଶ ଲଗାଇଥିଲେ ।