ପୋଲା ଥିଲା ଦିଅଁଙ୍କ ଦାରୁ, ମୁହଁ ଖୋଲିବାରୁ ମିଳିଲା ଦଣ୍ଡ । ବ୍ରହ୍ମ ବିିଭ୍ରାଟର ବଡ ଗୁମର 

400

କନକ ବ୍ୟୁରୋ : ସାଢେ ତିନି ବର୍ଷ ତଳେ ହୋଇଥିବା ମହାପ୍ରଭୁଙ୍କ ବ୍ରହ୍ମ ବିଭ୍ରାଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ଘଟ ପରିବର୍ତନରେ ବିଭ୍ରାଟ କରିଥିବା ନେଇ ୧୧ ଜଣଙ୍କୁ ନୋଟିସ କରାଯାଇଛି । ନୋଟିସର ସନ୍ତୋଷଜନକ ଉତର ନମିଳିଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ । ସେପଟେ ନୋଟିସ ପାଇଥିବା ସେବାୟତ କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି, ମହାପ୍ରଭୁଙ୍କ ଦାରୁ ଫିକ୍ସିଂ ହୋଇଥିଲା , ଆଉ ଏନେଇ ସେ ମୁହଁ ଖୋଲିବାରୁ ତାଙ୍କୁ ଦଣ୍ଡ ମିଳିଛି ।

୧୬ ଜୁନ୍ ୨୦୧୫ । ସକାଳୁ ସକାଳୁ ସାରା ରାଜ୍ୟରେ ଚହଳ ପଡିଗଲା । ଶୁଣିବାକୁ ମିଳିଲା ଅଧରାତିରେ ବ୍ରହ୍ମପରିବର୍ତନ ହୋଇପାରିନାହିଁ । ଦିନ ଯେତିକି ଗଡି ଚାଲିଥାଏ ମନ୍ଦିର ଭିତରେ କଣ ଚାଲିଛି ସେନେଇ ଆଶଙ୍କା ବଢୁଥାଏ । ଧିରେ ଧିରେ ଜଣାପଡୁଥାଏ ବ୍ରହ୍ମ ପରିବର୍ତନରେ ବଡ ଧରଣର ବିଭ୍ରାଟ ହୋଇଛି ।

ସନ୍ଧ୍ୟା ପ୍ରାୟ ସାଢେ ୫ଟା ।ଶ୍ରୀମନ୍ଦିର ଖୋଲିଲା ଏବଂ ସବୁକିଛି ପ୍ରଘଟ ହୋଇଗଲା । ମନ୍ଦିର ଭିତରୁ ବାହାରିବା ପରେ ଜଣେ ବରିଷ୍ଠ ସେବାୟତ କହିଲେ, ଦିନରେ ମହାପ୍ରଭୁଙ୍କ ଘଟ ପରିବର୍ତନ ହୋଇଛି । ଆଉ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ଜଗନ୍ନାଥପ୍ରେମୀ ।

ବ୍ରହ୍ମ ବିଭ୍ରାଟକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେବା ପରେ ସମସ୍ତଙ୍କ ନଜର ଥିଲା କାହାକୁ ଏଥିପାଇଁ ଦାୟୀ କରାଯିବ ଏବଂ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ସେହି ବେଳ ଆସିଛି । ବହ୍ମ ବିଭ୍ରାଟକୁ ସାଢେ ୩ ବର୍ଷ ବିତିସାରିଛି । ଆଉ  ସାମ୍ନାକୁ ଆସିଛି ବ୍ରହ୍ମ ବିଭ୍ରାଟ ରିପୋର୍ଟ । ମହିମୋହନ ତ୍ରିପାଠୀ, ବାବା ସଚ୍ଚିଦାନନ୍ଦ ମହାରାଜ ଓ ସିଦେ୍ଧଶ୍ୱର ମହାପାତ୍ରଙ୍କୁ ନେଇ ଗଠିତ ୩ ଜଣିଆ କମିଟି ରିପୋର୍ଟ ଦେଇଛନ୍ତି । ଏବଂ ଏହି ରିପୋର୍ଟ ଆଧାରରେ ୧୧ ଜଣଙ୍କୁ ନୋଟିସ କରାଯାଇଛି । ସେମାନେ ହେଲେ ଯୁବ ଦଇତାପତି କୀର୍ତି ପ୍ରସାଦ ଦାସମହାପାତ୍ର, ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର, କାଶୀନାଥ ଦାସମହାପାତ୍ର, ଜୟକୃଷ୍ଣ ଦାସମହାପାତ୍ର, ସୁଦର୍ଶନଙ୍କ ବାଡଗ୍ରାହୀ ନବକିଶୋର ପତିମହାପାତ୍ର, ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସମହାପାତ୍ର, ଦଇତାପତି ଦେବାନନ୍ଦ ଦାସମହାପାତ୍ର, ବିଶ୍ୱନାଥ ଦାସମହାପାତ୍ର, କୃଷ୍ଣଚନ୍ଦ୍ର ଦାସମହାପାତ୍ର ଓ ବିଶ୍ୱକର୍ମା ମହାରଣା କୃଷ୍ଣଚନ୍ଦ୍ର ମହାରଣା ।

୩ ମାସ ମଧ୍ୟରେ ଦୋଷୀ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସୁପାରିଶ କରିଛି ସବ କମିଟି । ୧୧ ଜଣଙ୍କୁ ଦିଆଯାଇଥିବା ନୋଟିସର ସନ୍ତୋଷଜନକ ଉତର ନମିଳିଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମମଲା ରୁଜୁ କରାଯିବ । ସେପଟେ ନୋଟିସ ପାଇବା ପରେ ଦାରୁ ଫିକ୍ସିଂକୁ ନେଇ ପୁଣି ଅଭିଯୋଗ ଆଣିଛନ୍ତି ନୋଟିସ ପାଇଥିବା ସେବାୟତ କୃଷ୍ଣଚନ୍ଦ୍ର ମହାରଣା । କହିଛନ୍ତି, ଦାରୁ ଫିକ୍ସିଂକୁ ନେଇ ମୁହଁ ଖୋଲିବାରୁ ତାଙ୍କୁ ଦଣ୍ଡ ମିଳିଛି ।  ସାଢେ ୩ ବର୍ଷ ପରେ ବ୍ରହ୍ମ ବିଭ୍ରାଟର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରାଯାଇଥିବା ବେଳେ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି ହେଉଛି ।