ଅଧା ବର୍ଷା ଋତୁ ଶେଷ : ଜୁଲାଇ ମାସରେ ବି ନିଅଣ୍ଟିଆ ବର୍ଷା, ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ସାଂଘାତିକ

391
କନକ ବ୍ୟୁରୋ : ବର୍ଷାଋତୁର ଅଧା ସରିଲା । ଜୁନ୍‌ ଯାଇ ଜୁଲାଇ ଗଲା । ତଥାପି ଓଡ଼ିଶାରେ ସ୍ବାଭାବିକ ହୋଇପାରିଲାନି ବର୍ଷା । ଏବେ ସୁଦ୍ଧା ଅର୍ଦ୍ଧାଧିକ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଲାଗି ରହିଛି । ୧୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ନିଅଣ୍ଟିଆ ପରିସ୍ଥିତି ରହିଛି । କେବଳ କୋରାପୁଟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି । ତେବେ ସୁନ୍ଦରଗଡ଼ରେ ସ୍ଥିତି ସାଂଘାତିକ ହେଲାଣି । ଜିଲ୍ଲାର ୫ଟି ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ବାକି ବ୍ଲକ୍‌ ଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ମିଳିଛି ।
ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଦକ୍ଷିଣ ଓଡ଼ିଶା ଓ ଏହା ସଂଲଗ୍ନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ବର୍ଷା ହୋଇଛି । କୋରାପୁଟରେ ସ୍ବାଭାବିକଠାରୁ ଅଧିକ ଅର୍ଥାତ୍‌ ୨୮.୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ମାଲକାନଗିରିରେ ସ୍ବାଭାବିକଠାରୁ ୧୬.୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୧୮.୬, କଳାହାଣ୍ଡିରେ ୯.୪, ପୁରୀରେ ୧୧.୯, ଖୋର୍ଧାରେ ୩.୭, କଟକରେ ୧.୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ତେବେ ୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିଲେ ମଧ୍ୟ କମ୍‌ ରହିଛି ।
ରାୟଗଡ଼ାରେ ୧୫.୮ ପ୍ରତିଶତ କମ୍‌ ରହିଥିବା ବେଳେ ଗଞ୍ଜାମରେ ୧୨, ଜଗତସିଂହପୁରରେ ୬.୮, ସୋନପୁରରେ ୧୫.୨ ଓ ବରଗଡ଼ରେ ୭.୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଜୁନ୍‌ ୧ରୁ ଜୁଲାଇ ୨୯ ସୁଦ୍ଧା ସାରା ରାଜ୍ୟରେ ୧୭.୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି । ତେବେ ଜୁଲାଇରେ ଯେତିକି ବର୍ଷା ହେବା କଥା ତାହା ବି ହୋଇପାରିନି । ଜୁଲାଇ ୨୯ ସୁଦ୍ଧା ନିଅଣ୍ଟିଆ ପରିମାଣ ଆହୁରି ୭.୪ ପ୍ରତିଶତ ରହିଥିବା ଏସ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି ।
ସୁନ୍ଦରଗଡ଼ରେ ଅତି ନିଅଣ୍ଟିଆ ସ୍ଥିତି ରହିଛି । ଜୁଲାଇ ୩୦ ସୁଦ୍ଧା ଏଠାରେ ୪୪.୯ ପ୍ରତିଶତ କମ୍‌ ହୋଇଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ସ୍ଥିତି ଲାଗି ରହିଛି । ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା କମ୍‌ ରହିଥିବାରୁ ଚାଷ କାର୍ଯ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ତଥାପି ଗତ ସପ୍ତାହକ ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବାରୁ ସ୍ଥିତିରେ ସୁଧାର ଆସିଛି । ସପ୍ତାହକ ପୂର୍ବରୁ ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଥିଲା । ଆଉ ଏବେ ତାହା ୧୮ ଜିଲ୍ଲାକୁ ଖସି ଆସିଛି । ଅଗଷ୍ଟ ୪ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ସପ୍ତାହକ ଯାଏ ବର୍ଷା ଲାଗିରହିବ । ଏହି ବର୍ଷା ଯୋଗୁଁ ନିଅଣ୍ଟିଆ ବର୍ଷା ପରିମାଣ କିଛି ମାତ୍ରାରେ ପୂରଣ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।