ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ସମାଧାନ ପାଇଁ ଅଂଟା ଭିଡିଲା ବାର କାଉଁସିଲ ଅଫ୍ ଇଣ୍ଡିଆ : ଜଜ୍ ଚେଲମେଶ୍ୱରଙ୍କ ସହ ଆଲୋଚନା କଲେ ବିସିଆଇ ପ୍ରତିନିଧି

20

କନକ ବ୍ୟୁରୋ :  ସୁପ୍ରିମକୋର୍ଟ ବିଚାରପତି ବିବାଦର ସମାଧାନ ପାଇଁ ବାର୍ କାଉନସିଲ୍ର ସକ୍ରିୟ ଉଦ୍ୟମ । ବିଚାରପତି ଜଷ୍ଟିସ ଚେଲାମେଶ୍ୱରଙ୍କୁ ଭେଟିବାକୁ ପହଂଚିଲା ବିସିଆଇର ପ୍ରତିନିଧି ମଣ୍ଡଳୀ । ବାର କାଉନସିଲ୍ ଅଫ୍ ଇଣ୍ଡିଆର ଏକ ପ୍ରତିନିଧି ମଣ୍ଡଳୀ ଜଷ୍ଟିସ ଚେଲାମେଶ୍ୱରଙ୍କ ବାସଭବନରେ ପହଂଚିଛନ୍ତି । ସମସ୍ତ ବିଦ୍ରୋହୀ ବିଚାରପତିଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛି ବିସିଆଇ । ଜଷ୍ଟିସ ଚେଲାମେଶ୍ୱରଙ୍କ ସହ ଆଲୋଚନା ପରେ ବିଚାରପତି ଅରୁଣ ମିଶ୍ରାଙ୍କୁ ସାକ୍ଷାତ କରିବେ ବିସିଆଇର ପ୍ରତିନିଧି ମଣ୍ଡଳୀ । ଏହା ପରେ ଅନ୍ୟତମ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ମଧ୍ୟ ପ୍ରତିନିଧି ମଣ୍ଡଳୀର ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ବିଚାରପତି ବିବାଦର ସମାଧାନ ପାଇଁ ଗତକାଲି ଏକ ୭ ଜଣିଆ କମିଟି ଗଠନ କରିଥିଲା ବାର କାଉନସିଲ୍ ଅଫ୍ ଇଣ୍ଡିଆ ।

ସେପଟେ ବିଦ୍ରୋହୀ ବିଚାରପତିଙ୍କୁ ଭେଟିପାରନ୍ତି ପ୍ରଧାନ ବିଚାରପତି ଦିପକ ମିଶ୍ର । ବିଚାରପତିମାନେ ମଧ୍ୟ ନରମ ପଡିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିଚାରପତି ମାମଲାର ସମାଧାନ ପାଇଁ ଆଗ୍ରହୀ ଥିବା ନେଇ ସଙ୍କେତ ମଧ୍ୟ ଦେଇଛନ୍ତି । ତେବେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିବା ପରେ ୪ ଜଣ ଯାକ ବରିଷ୍ଠ ବିଚାରପତି ଦିଲ୍ଲୀ ବାହାରକୁ ଚାଲିଯାଇଛନ୍ତି । ତେବେ ଆଜି ଅପରାହ୍ନ ସୁଦ୍ଧା ଏହି ବିଚାରପତିମାନେ ଫେରି ଆସିବା ସମ୍ଭାବନା ରହିଛି । ସେପଟେ ପ୍ରଧାନ ବିଚାରପତିଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛି ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ।

ଏହା ସହ ଆସନ୍ତା ସପ୍ତାହରେ ଏକାଠି ହୋଇପାରନ୍ତି ସର୍ବୋଚ୍ଚ ଅଦାଲତର ସମସ୍ତ ବିଚାରପତି । ସୁପ୍ରିମକୋର୍ଟର ସମସ୍ତ ୨୧ ଜଣ ବିଚାରପତିମାନଙ୍କ ଏକ ବୈଠକ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେଣୁ ଏହି ବୈଠକରେ ବିଦ୍ରୋହୀ ବିଚାରପତିମାନେ ଉଠାଇଥିବା ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଆଲୋଚନା ହେବାର ସମ୍ଭାବନା ରହିଛି । ପ୍ରଧାନ ବିଚାରପତିଙ୍କ ନିକଟତମ ରାଙ୍କର ଏହି ବିଚାରପତି ମାନେ ଏକାଠି ହୋଇ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି । ଅନ୍ୟପଟେ ବରିଷ୍ଠ ବିଚାରପତିମାନେ ଏପରି ପ୍ରେସମିଟ୍ କରିବା ଘଟଣାକୁ ନାପସନ୍ଦ କରିଛନ୍ତି ଅନ୍ୟ ଜଣେ ବରିଷ୍ଠ ବିଚାରପତି ।