ତାମିଲନାଡୁରେ ଜଲ୍ଲିକଟ୍ଟୁ ତାତି ! ଢେଲାପଥର ମାଡ, ପୁଲିସର ଲାଠିଚାର୍ଜ

28

ଜଲ୍ଲିକଟ୍ଟୁ ଉପରେ କଟକଣା ହଟାଇବା ନେଇ ଅଧ୍ୟାଦେଶ ଆଣିବା ପରେ ମଧ୍ୟ ତାମିଲନାଡୁରେ ବିକ୍ଷୋଭର ନିଆଁ ଜଳୁଛି । ଚେନ୍ନାଇର ମରିନା ବିଚରୁ ଆଜି ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ବଳ ପ୍ରୟୋଗ କରିଛି । ମଦୁରାଇରେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ଉତ୍ୟକ୍ତଲୋକ ଥାନା ଆଗରେ ଥିବା ଗାଡି ଗୁଡିକୁ ପୋଡି ଦେଇଛନ୍ତି । ଏମିିତିକି ପୁଲିସ ଉପରକୁ ଢେଲା ପଥର ମାଡ ହୋଇଛି । ପ୍ରଦର୍ଶନକାରୀଙ୍କୁ ପୁଲିସ ପ୍ରଥମେ ବୁଝାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ନ’ମାନିବାରୁ ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା ।

ପ୍ରଦର୍ଶନକାରୀଙ୍କୁ ପୁଲିସ ହଟାଇବା ବେଳେ ସେମାନେ ଜାତୀୟ ସଂଗୀତ ଗାନ କରିଥିଲେ । ତେବେ ପୁଲିସ ଲାଠିଚାର୍ଜ କରି ମରିନା ବିଚରୁ ବିକ୍ଷୋଭକାରୀଙ୍କୁ ହଟାଇ ଦେଇଛି । ପୁଲିସ ମାଡରେ କିଛି ବିକ୍ଷୋଭକାରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ମରିନା ବିଚକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି । ଏହାର ନିକଟବର୍ତୀ ଅଂଚଳରେ ଲୋକଙ୍କୁ ଏକତ୍ରିତ ହେବାକୁ ଦିଆଯାଉନି ।

ଚେନ୍ନାଇ ବ୍ୟତୀତ ମଦୁରାଇ, କୋଏମ୍ବାଟୁର, ତ୍ରିଚିରେ ମଧ୍ୟ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ବଳପ୍ରୟୋଗ କରିଛି । ସେପଟେ ପ୍ରଦର୍ଶନକାରୀଙ୍କୁ ହଟାଇବା ପାଇଁ ପୁଲିସ ବଳପ୍ରୟୋଗ କରିବାକୁ ନିନ୍ଦା କରିଛନ୍ତି ଡିଏମକେର କାର୍ଯ୍ୟକାରୀ ଅଧ୍ୟକ୍ଷ ଷ୍ଟାଲିନ୍ । ଲୋକମାନେ ମଧ୍ୟ ପୁଲିସର ଏପରି ବ୍ୟବହାରକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଯଦି ସେମାନଙ୍କୁ ହଟାଇବାକୁ ବଳପ୍ରୟୋଗ କରାଯାଏ ତେବେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ।