ଜନ୍ମମାଟିରେ ସହିଦଙ୍କ ମରଶରୀର ! ରାଷ୍ଟ୍ରୀୟ ସମ୍ମାନ ସହ ପ୍ରଦୀପ ପଣ୍ଡାଙ୍କ ହେବ ଶେଷକୃତ୍ୟ

25

କନକ ବ୍ୟୁରୋ: ଆଜି ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା ଲିପିଲୋଇ ଗାଁରେ ସହିଦ ପ୍ରଦୀପ ପଣ୍ଡାଙ୍କ ଶେଷସଂସ୍କାର ସଂପନ୍ନ ହେବ । ଗତକାଲି ରାତି ୯ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲା ସହିଦଙ୍କ ମୃତଦେହ । ଏଠାରେ ତାଙ୍କୁ ସିଆରପିଏଫ ପକ୍ଷରୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଛି । ପାରମ୍ପରିକ ବ୍ୟାଣ୍ଡ ବଜାଇ ସହିଦଙ୍କୁୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହ ସହିଦଙ୍କ ଶେଷ ଯାତ୍ରାରେ ସାମିଲ ହେବାକୁ ପହଂଚିଥିଲେ ସିଆରପିଏଫର ସମସ୍ତ ବରିଷ୍ଠ ଅଧିକାରୀ ।

ସେହିପରି ଗୃହ ବିଭାଗର ଅତିରିକ୍ତ ସଚିବ ସହିଦଙ୍କୁ ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ଭୁନେଶ୍ୱରରୁ ସିଧାସଳଖ ସହିଦଙ୍କ ଜନ୍ମମାଟି ଲିପିଲୋଇ ଗାଁ ଅଭିମୁଖେ ବାହାରିଥିଲା ମର ଶରୀର । ଗତ ୩୧ ତାରିଖରେ ଆତଙ୍କବାଦୀଙ୍କ ସହ ଲଢେଇରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡା । ସିଆରପିଏଫରେ କନେଷ୍ଟବଳ ଭାବେ ଯୋଗ ଦେଇଥିବା ପ୍ରଦୀପ ପଣ୍ଡା ନିଜ ଦକ୍ଷତା ବଳରେ- କ୍ୱିକ ଆକ୍ସନ ଟିମ୍ ବା କ୍ୟୁଏଟିରେ ସାମିଲ ହୋଇଥିଲେ ।

ଗତବର୍ଷ ଶ୍ରୀନଗରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ହମଲା ସମୟରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ସେଥିପାଇଁ ତାଙ୍କୁ ୨୦୧୭ ଅଗଷ୍ଟ ୧୫ରେ ଗାଲାଂଟ୍ରି ମେଡାଲ ପ୍ରଦାନ କରିଥିଲେ ରାଷ୍ଟ୍ରପତି ।  କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ  ସହିଦ ଓଡିଆ ଯବାନ ପ୍ରଦୀପ ପଣ୍ଡାଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି ।