ମହାରାଷ୍ଟ୍ରରେ କିଏ ଗଢିବ ସରକାର ? ନିଜ ନିଜ ବାଟରେ ଅଙ୍କ କଷୁଛନ୍ତି ସବୁ ରାଜନୈତିକ ଦଳ, ଭିନ୍ନ ଭିନ୍ନ ସମୀକରଣକୁ ନେଇ ଚାଲିଛି ଚର୍ଚ୍ଚା ।

228

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଥିଲେ ଦୁଇଟି ମେଂଟ । ବିଜେପି-ଶିବସେନା ଏନଡିଏ ମେଂଟ ଓ ଏନସିପି-କଂଗ୍ରେସ ୟୁପିଏ ମେଂଟ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ଲାଗୁଛି ୪ଟି ଯାକ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ବାଟରେ ଅଙ୍କ କଷୁଛନ୍ତି । ତେଣୁ ସରକାର ଗଠନ ପାଇଁ ଭିନ୍ନ ଭିନ୍ନ ଫର୍ମୁଲା ବା ସମୀକରଣ ଉପରେ ଚର୍ଚ୍ଚା ଆଲୋଚନା ଚାଲିଛି ।

ଶିବସେନା :
ନିର୍ବାଚନ ଫଳାଫଳକୁ ଦେଖି ପୁରୁଣା ଆଭିମୁଖ୍ୟ ପରିବର୍ତ୍ତନ କରି ସବୁଠାରୁ ଅଧିକ ପାଟିତୁଣ୍ଡ କରୁଛି ଶିବସେନା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏହା ଦ୍ୱିତୀୟ ସର୍ବବୃହତ ଦଳ ଭାବେ ଜନମତ ପାଇଛି । ୨୦୧୪ ତୁଳନାରେ ୭ଟି କମ୍ ଆସନ ପାଇଥିଲେ ବି ୫୪ଟି ଆସନ ସହ ସରକାର ଗଢିବାକୁ ନିଜ ଢଙ୍ଗରେ ଅଙ୍କ କଷୁଛି ଶିବସେନା । ପାଳିକରି ମୁଖ୍ୟମନ୍ତ୍ରୀ ଆସନରେ ବସିବା ଦାବିରେ ବିଜେପି ଆଗରେ ସର୍ତ ରଖି ସରକାରରେ ବସିବାକୁ ଚାହୁଁଛି ।

ଶିବସେନା ନିକଟରେ ସରକାର ଗଢିବାକୁ ଦୁଇଟି ସମ୍ଭାବନା
୧- କ୍ଷମତା ବଂଟନ ନେଇ ବିଜେପି ଆଗରେ ରଖିଥିବା ଦାବିରେ ସାଲିସ କରି ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଧାରରେ ସରକାରରେ ବସିବ

୨- କିମ୍ବା ଏନସିପି ଓ କଂଗ୍ରେସ ସହ ମିଶି ସରକାରରେ ବସିପାରେ । ୨୦୧୪ ତୁଳନାରେ ଭଲ ପ୍ରଦର୍ଶନ କରି ଏନସିପି ୫୪ ଓ କଂଗ୍ରେସ ୪୪ଟି ଆସନ ଜିତିଛନ୍ତି । ଶିବସେନା ସହ ମିଶିଲେ ଏମାନଙ୍କ ସଂଖ୍ୟା ୧୫୪ରେ ପହଂଚିବ

ଏନସିପି :
ଏଥର ନିର୍ବାଚନରେ ସବୁଠାରୁ ଅଧିକ ଲାଭବାନ ହୋଇଛି ଶରଦ ପାୱାରଙ୍କ ଏନସିପି । ଶରଦ ପାୱାର ଓ ତାଙ୍କ ପୁତୁରା ଅଜିତ ପାୱାରଙ୍କ ବିରୋଧରେ ଇଡି ତଦନ୍ତରୁ ରାଜନୈତିକ ଫାଇଦା ମିଳିଥିବା କୁହାଯାଉଛି । ତେଣୁ ଏଥର ବିଧାନସଭା ନିର୍ବାଚନରେ ବିଜେପି ସହିତ ଏନିସିପିର ମଧ୍ୟ ଆସନ ସଂଖ୍ୟା ପୂର୍ବାପେକ୍ଷା ବଢିଛି ।

ଏନସିପି ନିକଟରେ ସରକାର ଗଢିବାକୁ ଦୁଇଟି ସମ୍ଭାବନା
୧- ରାଜନୈତିକ ବିଚାରଧାରାକୁ ପଛରେ ପକାଇ ବିଜେପି ସହ ମେଂଟ କରି ସରକାରରେ ବସିବାକୁ ନିଷ୍ପତ୍ତି କରିପାରନ୍ତି ଶରଦ ପାୱାର । ପାୱାରଙ୍କୁ ରାଜନୈତିକ ମେଂଟର କହିଥିଲେ ମୋଦି, ତେଣୁ ଗୋଟିଏ ଫୋନରେ ଏହା ସମ୍ଭବ ହୋଇପାରେ

୨- ମହାରାଷ୍ଟ୍ର କାର୍ଡ ଖେଳି ଶିବସେନା ସହ ମଧ୍ୟ ଯାଇପାରେ ଏନିସିପି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ମଧ୍ୟ ଶିବସେନା-ଏନସିପି ମେଂଟକୁ ସମର୍ଥନ କରିବ ନିଶ୍ଚୟ

କଂଗ୍ରେସ :
ଆଗରୁ କେବେ ମହାରାଷ୍ଟ୍ରରେ କଂଗ୍ରେସ ଏଭଳି ଦୁଇଦୁଇଥର କ୍ଷମତାରୁ ବାହାରେ ରହିନାହିଁ । ତେଣୁ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ମଧ୍ୟ ଶିବସେନା ସହ ତାର ମତଭେଦକୁ ଭୁଲି ସରକାର ଗଠନରେ ସହାୟତା କରିପାରେ ।

ସରକାର ଗଠନରେ ସହାୟତା ପାଇଁ କଂଗ୍ରେସର ଦୁଇଟି ବିକଳ୍ପ
୧- ମୋଦି-ଶାହା ଯୋଡିଙ୍କ ସବୁ ରଣନୀତି ଫେଲ କରିବାକୁ ଶିବସେନା-ଏନସିପି ମେଂଟକୁ ଖୋଲାଖୋଲି ସମର୍ଥନ କରି ସରକାର ଗଠନରେ ସହାୟତା କରିପାରେ କଂଗ୍ରେସ

୨- ଶିବସେନା-ଏନସିପି ମେଂଟକୁ ବାହାରୁ ସମର୍ଥନ କରି ମହାରାଷ୍ଟ୍ରରେ କିଙ୍ଗମେକର ସାଜିପାରେ କଂଗ୍ରେସ । ବିଜେପି ହାତରୁ ଆଉ ଗୋଟିଏ ରାଜ୍ୟ ଛଡାଇ ଆଣିବାକୁ ଏହି ବିକଳ୍ପ ଉପରେ ଚିନ୍ତା କରିପାରେ ଦଳ

ବିଜେପି :
୨୦୧୪ ଅପେକ୍ଷା ଆସନ ସଂଖ୍ୟା କମିଥିଲେ ବି ଏଥର ନିର୍ବାଚନରେ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ହେଲେ ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ସରକାର ଗଢିବାକୁ ୧୭ଟି ଆସନ କମ୍ ପାଇଛି ଦଳ । ବିଜେପିକୁ ଏକାକୀ ୧୦୫ଟି ଆସନ ମିଳିଥିବାବେଳେ ଶିବସେନା ସହ ମିଶି ଏହାର ଆସନ ସଂଖ୍ୟା ୧୬୧ରେ ପହଞ୍ଚିଛି ।

ସରକାର ଗଢିବାକୁ ବିଜେପି ଆଗରେ ଦୁଇଟି ବିକଳ୍ପ
୧- ଶିବସେନା ବ୍ଲାକମେଲ କରୁଥିବା ଅଭିଯୋଗରେ ପୁରୁଣା ମିତ୍ରକୁ ବାଦ ଦେଇ ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାରରେ ବସିପାରେ ବିଜେପି । ୨୦୧୪ରେ ମଧ୍ୟ ମହାରାଷ୍ଟ୍ରରେ ସ୍ଥିରତା ପାଇଁ ଶରଦ ପାୱାର ବିନା ସର୍ତରେ ବିଜେପିକୁ ସମର୍ଥନ ଜଣାଇଥିଲେ

୨- ଶିବସେନାର କେତେକ ସର୍ତ୍ତକୁ ମାନିନେବା ସହ ମେଂଟ ସହଯୋଗୀକୁ ଖୁସି କଲାଭଳି ମନ୍ତ୍ରାଳୟ ଦେଇ ମହାରାଷ୍ଟ୍ରରେ ତୃତୀୟଥର ପାଇଁ କ୍ଷମତାରେ ବସିପାରେ ବିଜେପି । ଦ୍ୱିତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ଦେବେନ୍ଦ୍ର ଫଡନଭିସ ।

ସବୁଠାରୁ ବଡକଥା ହେଉଛି ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ କେବଳ ୱେଟ ଆଣ୍ଡ ୱାଚ ରଣନୀତି ଆପଣାଇଛି । ଏପଟେ ଏନସିପି ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିସାରିଛି । ତେଣୁ ଏବେ କେବଳ ଶିବସେନା ଓ ବିଜେପି ଚାହିଁଲେ ଆପୋଷ ମତଭେଦକୁ ଦୂର କରି ସରକାର ଗଢିବା ପାଇଁ ନିର୍ଣ୍ଣାୟକ ନିଷ୍ପତି କରିପାରନ୍ତି । ହାତରେ ମାତ୍ର ୨ ଦିନ ଥିବାରୁ ଏ ଦିଗରେ ସକରାତ୍ମକ ପଦକ୍ଷେପ ନେବା ଜରୁରୀ ।