ମହାରାଷ୍ଟ୍ରରେ ଚାଲିଛି ମହାଡ୍ରାମା । ବିରୋଧୀ ଆସନରେ ବସିବ ଏନସିପି । କେମିତି ସରକାର ଗଢିବ ଶିବସେନା ?

226

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଛି ମହାଡ୍ରାମା । ବିରୋଧୀ ଆସନରେ ବସିବ ଏନସିପି । କେମିତି ସରକାର ଗଢିବ ଶିବସେନା ? ମହାରାଷ୍ଟ୍ର ମହାନାଟକରେ ପୁଣି ଆସିଛି ନୂଆ ମୋଡ । କାରଣ ଶିବସେନାକୁ ସମର୍ଥନ କରି ଏନସିପି ସରକାରରେ ବସିବ ବୋଲି ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ପାୱାର । ଏଥର ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଥିବା ଏନସିପି, ସରକାର ଗଠନରେ କିଙ୍ଗମେକର ସାଜିବା ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କୁ ଭେଟିବା ପରେ ଶରଦ ପାୱାର କହିଛନ୍ତି ଯେ, ବିରୋଧୀ ଆସନରେ ବସିବା ପାଇଁ ତାଙ୍କୁ ଜନମତ ମିଳିଛି ।

ବିଜେପି ଓ ଶିବସେନା ଭିତରେ ଲାଗିରହିଥିବା ମତଭେଦରୁ ଏନସିପି ଫାଇଦା ମାରିବା ନେଇ ଚର୍ଚ୍ଚା ହେଉଥିଲା । ଶିବସେନା ଓ ଏନସିପି ଏକାଠି ସରକାରରେ ବସିବା ସହ କଂଗ୍ରେସ ଏହାକୁ ବାହାରୁ ସମର୍ଥନ କରିପାରେ ବୋଲି ଆକଳନ କରାଯାଉଥିଲା । ହେଲେ ସରକାରରେ ନୁହେଁ, ବିରୋଧୀ ଆସନରେ ବସିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି ଏନସିପି ମୁଖ୍ୟ ।

ସେପଟେ ବିଜେପି ସହ ମେଂଟ ସରକାରରେ ବସିବା ପାଇଁ ୫୦-୫୦ ଫର୍ମୁଲାରେ ଅଡି ବସିଥିବା ଶିବସେନା ପୁଣି ତାର ଦାବି ଦୋହରାଇଛି । ବିଜେପି ଓ ଶିବସେନା ମଧ୍ୟରେ କୌଣସି ନୂଆ ପ୍ରସ୍ତାବରେ ଆଲୋଚନା ହୋଇନଥିବା ସ୍ପଷ୍ଟ କରିଛନ୍ତି ଦଳର ମୁଖପାତ୍ର ସଂଜୟ ରାଉତ । ଅର୍ଥାତ ବିଜେପି ଦାବି ନମାନିଲେ ଅଲଗା ବିକଳ୍ପ ଦେଖିବ ଶିବସେନା । କୌଣସି ହିସାବ ନଦେଇ ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରୁଛନ୍ତି ଶିବସେନାର କିଛି ନେତା । ହେଲେ ଏନସିପି ବିରୋଧୀ ଆସନରେ ବସିବ ବୋଲି ସ୍ପଷ୍ଟ କରିଦେବା ପରେ ଆବଶ୍ୟକ ସଂଖ୍ୟା କେଉଁଠୁ ଯୋଗାଡ କରିବ ଶିବସେନା ତାହା ବି ବଡ ପ୍ରଶ୍ନ ହୋଇ ରହିଛି ।

ସରକାର ଗଠନ ନେଇ ବିଜେପିର ସଂକଟ ବଢାଇଛି ଶିବସେନାର ସର୍ତ । ଗତ ୨୪ ତାରିଖରୁ ଫଳାଫଳ ପ୍ରକାଶ ପାଇଥିଲେ ବି ଏପର୍ଯ୍ୟନ୍ତ ନୂଆ ସରକାରର ରୂପରେଖ ସ୍ଥିର ହୋଇପାରୁ ନାହିଁ । ଏତିକିବେଳେ ମାର୍ଗଦର୍ଶନ ପାଇଁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି ଦେବେନ୍ଦ୍ର ଫଡନଭିସ । ତେଣୁ ଆରଏସଏସ ଏହି ପୁରା ମାମଲାରେ ହସ୍ତକ୍ଷେପ କରି ସମାଧାନ ବାଟ ବାହାର କରିପାରେ ବୋଲି ଅନୁମାନ କରାଯାଉଛି ।

ଆଉ ଏହାରି ଭିତରେ ଆଗାମୀ ୮ ତାରିଖରେ ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ । ଆଉ ତା ପୂର୍ବରୁ ସରକାର ଗଠନ ନେଇ ବାଟ ନଫିଟିଲେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇପାରେ । ତେଣୁ ଆଗାମୀ ଦୁଇଦିନ ଭିତରେ ବିଜେପି ଓ ଶିବସେନାକୁ ନିଜନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡିବ ।