ଫେସବୁକରେ ପୁଣି ଗଡ଼ବଡ଼ି ! ସାର୍ବଜନୀନ ହେଲା ଦେଢ଼ କୋଟି ଲୋକଙ୍କ ଡାଟା

38

ଡାଟା ଲିକ୍ ହେବାକୁ ନେଇ ପୂର୍ବରୁ ବିବାଦରେ ଅଛି ଲୋକପ୍ରିୟ ଆପ୍ ଫେସବୁକ୍ । ସୂଚନା ଅନୁସାରେ ପୁଣି ଥରେ ଫେସବୁକର ଡାଟା ଲିକ୍ ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଖାପାଖି ଦେଢ଼ କୋଟି ଲୋକଙ୍କ ଡାଟା ସାର୍ବଜନୀନ ହୋଇଛି । ତେବେ ଏନେଇ ଫେସବୁକ୍ କହିଛି ଯାନ୍ତ୍ରିକ ତ୍ରୁଟିକୁ ଏବେ ଠିକ୍ କରିଦିଆଯାଇଛି । ଫେସବୁକରେ ଡାଟା ଲିକ୍ ତଥା ଡାଟାର ଭୁଲ ବ୍ୟବହାର ନେଇ ପ୍ରଶ୍ନ ଉଠିଥିଲା । ଆଉ ଏହି ଅଭିଯୋଗ ପାଇଁ ଫେସବୁକ ସାରା ବିଶ୍ୱରେ ଆଲୋଚନାର ବିଷୟବସ୍ତୁ ପାଲଟି ଥିଲା । ଏଥିପାଇଁ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ କ୍ଷମା ମଧ୍ୟ ମାଗିବା ପାଇଁ ପଡ଼ିଥିଲା ।

ଡାଟା ଲିକ୍ ପରେ ସରକାର ଫେସବୁକ ଠାରୁ ଜବାବ ମାଗିଛି । ଫେସବୁକକୁ ୨୦ ଜୁନ ପର୍ଯ୍ୟନ୍ତ ନିଜର ପକ୍ଷ ରଖିବା ପାଇଁ ପଡ଼ିବ । ଫେସବୁକକୁ ନୋଟିସ କରିଛନ୍ତି କେନ୍ଦ୍ର ସରକାର । ବ୍ୟବହାରକାରୀଙ୍କ ବିନା ଅନୁମତିରେ ସେମାନଙ୍କ ଡାଟା ଅନ୍ୟକୁ ଦିଆଯାଇଥିବା ସଂପର୍କରେ ଗଣମାଧ୍ୟମରେ ଯେଉଁ ରିପୋର୍ଟସବୁ ପ୍ରକାଶ ପାଇଛି ତା ଉପରେ ଜୁନ ୨୦ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ଫେସବୁକକୁ ନିର୍ଦ୍ଦେଶ ଦିଆଯାଇଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ଉତର ମଗାଯାଇଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଫୋନ ନିର୍ମାତା ଓ ଅନ୍ୟାନ୍ୟ ଡିଭାଇସ ନିର୍ମାତାଙ୍କୁ ଦେବାଲାଗି ଫେସବୁକ ଚୁକ୍ତି କରିଥିବା ଖବର ପ୍ରକାଶ ପାଇଥିଲା ।

ଡାଟା ସୁରକ୍ଷାକୁ ନେଇ ସରକାରୀ ଏବେ ଶକ୍ତ ହୋଇଯାଇଛନ୍ତି । ସରକାରଙ୍କ ଅନୁସାରେ ସରକାର ସୋସିଆଲ ମିଡ଼ିଆ ଉପରେ ରୋକ୍ ଲଗାଇବା ପାଇଁ ଚାହାନ୍ତି ନାହିଁ । କିନ୍ତୁ ନିଜ ଲୋକଙ୍କ ଡାଟା ମଧ୍ୟ ଲିକ୍ ହେବାକୁ ଦେବେନି । ଡାଟା ସୁରକ୍ଷା ପାଇଁ ଦଶ ସଂସଦୀୟ କମିଟି ମଧ୍ୟ ଗଠନ କରାଯାଇଛି ।