କେନ୍ଦ୍ରଶାସିତ ଅଂଚଳ ଘୋଷଣା ହେବା ପରେ ଲଦାଖରେ ଖୁସିର ମାହୋଲା ନାଚଗୀତ ସହ ଜାତୀୟ ସଙ୍ଗୀତ ଗାଇ ମନାଇଲେ ଖୁସି

257

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ୩ ଦିନ ହେଲା ୧୪୪ ଧାରା ଜାରି ହୋଇଥିବା ବେଳେ ଗୁରୁବାର କିଛି ସମୟ ପାଇଁ କୋହଳ ହୋଇଥିଲା । ୩ ଦିନ ପରେ ଜମ୍ମୁ କାଶ୍ମୀର ଦୋଡା ଜିଲ୍ଲାର ଲୋକେ , ଖୋଲାଖୋଲି ରାସ୍ତା ଉପରେ ଏକାଠି ହୋଇଥିଲେ । ଦୋକାନ ବଜାର ଖୋଲାଯାଇଥିଲା । ଲୋକେ ଆବଶ୍ୟକୀୟ ଜିନିଷପତ୍ର କିଣାକିଣି କରିଥିଲେ । ରାସ୍ତାଘାଟରେ ଗାଡିମୋଟରର ଭିଡ ଜମିଥିଲା ।

ଟଙ୍କା ଉଠାଇବାକୁ ଏଟିଏମରେ ଲମ୍ବା ଲାଇନ୍ ଲାଗିଥିଲା । ଦିନରେ ମାତ୍ର ୬ ଘଂଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ , ସୁରକ୍ଷାକର୍ମୀ କିନ୍ତୁ ପହରା ଦେଉଥିଲେ । ଦୋଡା ସମେତ ସାମ୍ବା, କାଠୁଆ ଏବଂ କାଶ୍ମୀରର ଅନେକ ଅଂଚଳରେ ଏହିଭଳି ଭାବେ ୧୪୪ ଧାରା କୋହଳ କରାଯାଇଥିଲା । ତେବେ ସ୍କୁଲ କଲେଜ୍ ବନ୍ଦ ରହିଥିବା ବେଳେ ଅଫିସ ଖୋଲାରହିଥିଲା । ସେପଟେ ଲଦାଖର କାରଗିଲ୍ ଜିଲ୍ଲାରେ ଧାରା ୩୭୦ ଉଚ୍ଛେଦ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଅନ୍ୟପଟେ, କେନ୍ଦ୍ରଶାସିତ ଅଂଚଳ ଘୋଷଣା ହେବା ପରେ ଲଦାଖରେ ଖୁସୁିର ମାହୋଲ । ଲଦାଖରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଲେହ ଓ କାରଗିଲର ଲୋକମାନେ ସାମିଲ ହୋଇଥିଲେ । ବୌଦ୍ଧ ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁସଲିମ୍ ସଂଗଠନ ମଧ୍ୟ ଯୋଗଦେଇଥିଲେ । ଜନଗଣମନ ଗାୟନ ସହ ନୃତ୍ୟ ଓ ଗୀତ ମଧ୍ୟ ଦେଖିବାକୁ ମିଳିଛି ।

ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସେମାନେ ସ୍ୱାଗତ କରିଛନ୍ତି । ତେବେ ଅଂଚଳର ସ୍ୱତନ୍ତ୍ର ଭାଷା ଓ ସଂସ୍କୃତି ବଂଚାଇ ରଖିବା ପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକମାନେ କହିଛନ୍ତି । ଅଗଷ୍ଟ ୫ରେ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ କରିବା ସହ ଜମ୍ମୁକାଶ୍ମରକୁ ବିଭାଜନ କରିବା ନେଇ ଘୋଷଣା କରିଥିଲେ । ଜମ୍ମୁକାଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ର ଶାସିତ ଅଂଚଳ ଭାବେ ଘୋଷଣା କରିଥିଲେ ।