ଉଦଘାଟନ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି, କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମେଦିନୀ

206

କନକ ବ୍ୟୁରୋ : ଉଦଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ବରଗଡ ସାଂସଦ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ । ୧୧ ଦିନ ଧରି ବରଗଡରେ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ମହୋତ୍ସବ । ଆଜି ଅପରାହ୍ନରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ।

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମେଦିନୀ । ଦେଶ ଓ ବିଦେଶର କଳାକାରଙ୍କ ନାଚଗୀତରେ ଦୁଲୁକିବ ମଞ୍ଚ । ଉଦଘାଟନୀ ସଂଧ୍ୟାରେ ରାଜକୀୟ ଆଡମ୍ବରରେ ଦେବକୀ-ବାସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଧନୁଯାତ୍ରାକୁ ନେଇ ଅମ୍ବାପାଲି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

କଳାକାର ଓ ଗ୍ରାମବାସୀ ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି । ଗାଁକୁ ବନ୍ଧୁବାନ୍ଧବ ଆସିଗଲେଣି । ସମସ୍ତେ ନିଜ ନିଜ ଘରକୁ ସୁନ୍ଦର ଭାବେ ସଜେଇଛନ୍ତି । ଘର ଓ କାନ୍ଥକୁ ଲିପା ପୋଛା କରି ରଂଗ ଦେଇ ରଙ୍ଗୀନ ଆଲୋକରେ ସଜେଇଛନ୍ତି ଅମ୍ବାପାଲି ବାସିନ୍ଦା । ଗାଁର ସମସ୍ତ କାଂଥରେ କୃଷ୍ଣ ଲୀଳା ସମ୍ପର୍କୀତ ଚିତ୍ର ଅଙ୍କା ଯାଉଛି । ଯାହା ଗୋପପୁରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି ।ଅନ୍ୟପଟେ ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ଓ ନନ୍ଦପୁରୀର ନିର୍ମାଣ ମଧ୍ୟ ଶେଷ ହୋଇଛି । ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଥୁରା ପରି ଗୋପପୁରରେ ମଧ୍ୟ ଜାତୀୟସ୍ଥରର ସାସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ । ଏହାସହ ସର୍କସ ଓ ମୀନାବଜାର ଗୋପପୁର ଯାତ୍ରାର ମୁଖ୍ୟ ଆକର୍ଷଣ ହେବ ।