ମାତ୍ର ୩ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ୨ ପୁଅଙ୍କୁ ମରଣାନ୍ତକ ଆକ୍ରମଣ

123

କନକ ବ୍ୟୁରୋ: ସାମାନ୍ୟ କେଇଟା ଟଙ୍କା ପାଇଁ ମଣିଷ କେତେ ବର୍ବର ହୋଇପାରେ ତା’ର ପ୍ରମାଣ ଦେଖିବାକୁ ମିଳିଛି ଝାରଖଣ୍ଡର ବୋକାରୋ ଅଞ୍ଚଳରେ । ଶହେ କି ହଜାରେ ନୁହେଁ ମାତ୍ର ୩ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା କରାଯିବା ସହ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ବୋକାରୋ ଜିଲ୍ଲା ଚାସ ଥାନା ଅନ୍ତର୍ଗତ ହାଜି ନଗରରେ ଘଟିଛି ଲୋମଟାଙ୍କୁରା ଘଟଣା । ମାତ୍ର ୩ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା କରିବା ସହ ତାଙ୍କର ଦୁଇ ପୁଅଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ପୋଲିସର କହିବା ଅନୁସାରେ , ହାଜି ନଗର ବାସିନ୍ଦା ନଜମା ଓରଫ୍ ଲୈଲା ନିଜର ୨ ପୁଅଙ୍କ ସହ ରହୁଥିଲେ । ବୁଧବାର ତାଙ୍କ ଦୁଇ ପୁଅଙ୍କ ସହ ଗୁଡ୍ଡୁ ନାମକ ଜଣେ ଯୁବକ ଆସି ୩ ଟଙ୍କା ପାଇଁ ପାଟିତୁଣ୍ଡ କରିଥିଲା । ଫୁଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପାଟି ଶୁଣି ମା’ ନଜମା ଘର ବାହାରକୁ ଆସି ବୁଝାଇବା ଚେଷ୍ଟା କରିଥିଲେ । ହେଲେ କିଛି ଶୁଣିବା ପରିସ୍ଥିତିରେ ନଥିଲା ଅଭିଯୁକ୍ତ ଗୁଡୁ । ବରଂ ଛୁରା କାଢି ସେ ନିଜର ଜଣେ ସହାୟକଙ୍କ ସହ ମିଶି ନଜମାଙ୍କୁ ବାରମ୍ବାର ଆଘାତ କରିଥିଲେ । ଏହାସହ ତାଙ୍କର ୨ ପୁଅଙ୍କୁ ମଧ୍ୟ ଛୁରାମାଡ କରିଥିଲେ ।ଏହାପରେ ଉଭୟ ସେଠାରୁ ଫେରାର ହୋଇଯାଇଥିଲେ ।

ପଡିଶା ଲୋକେ ନଜମା ଓ ତାଙ୍କ ପୁଅମାନଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ବି ସେଠାରେ ନଜମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ଏବେବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଦୁଇ ପୁଅ । ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ ପୋଲିସ ।