ମୋବାଇଲ ପାଇଁ ସ୍ୱାମୀଙ୍କୁ ପନିକିରେ ହାଣିଲା ସ୍ତ୍ରୀ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

627

କନକ ବ୍ୟୁରୋ : ସାମାନ୍ୟ ମୋବାଇଲ ପାଇଁ ସ୍ୱାମୀଙ୍କୁ ପନିକିରେ ଆକ୍ରମଣ କରିଛି ସ୍ତ୍ରୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା କେସେରକେଲା ଗାଁରେ । ଗତ ଛଅ ବର୍ଷ ତଳେ କେଷେରକେଲା ଗାଁର ଗଣେଶ୍ୱର ସୁନା ଛତିଶଗଡ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବିବାହ ହୋଇଥିଲା । ସେମାନଙ୍କର ଚାରି ବର୍ଷର ଝିଅ ରହିଛି ।

ଆହତ ଗଣେଶ୍ୱର ସୁନାଙ୍କ କହିବାନୁଯାୟୀ, ଗତକାଲି ତାଙ୍କୁ ମୋବାଇଲ ମାଗିଥିଲେ ସ୍ତ୍ରୀ ଈଶ୍ୱରୀ । କିନ୍ତୁ ଇଣ୍ଟରନେଟ ପ୍ୟାକ ଶେଷ ହୋଇଯିବ କହି ସ୍ତ୍ରୀକୁ ମୋବାଇଲ ଦେଇନଥିଲେ ଗଣେଶ୍ୱର । ଫଳରେ ବିଳମ୍ବିତ ରାତିରେ ସ୍ୱାମୀ ଶୋଇଥିବା ଅବସ୍ଥାରେ ହାଠାତ ଈଶ୍ୱରୀ ପନିକି ଆଣି ଗଣେଶ୍ୱରଙ୍କ ମୁଣ୍ଡରେ ଆକ୍ରମଣ କରିଥବା ଅଭିଯୋଗ ହୋଇଛି ।

ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ଲହୁଲୁହାଣ କରି ଝିଅ ସହିତ ଫେରାର ମାରିଛି ସ୍ତ୍ରୀ । ସ୍ଥାନୀୟ ଲୋକେ ଗଣେଶ୍ୱରକୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ହସପିଟାଲରେ ଥିବାରୁ ଏନେଇ ପୁଇଁତଲା ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ସ୍ୱାମୀ ଗଣେଶ୍ୱର ।