ବେଳ ବୁଡିଗଲେ ବାଘ ପରି ମାଡି ଆସୁଛି ଶୀତ । ପ୍ରବଳ ଥଣ୍ଡା ପାଇଁ ୧୩ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି । ୨ ତାରିଖରେ ବର୍ଷା ସମ୍ଭାବନା

1,596

କନକ ବ୍ୟୁରୋ: ଶୀତ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । ଶୀତ ଲହରୀ ନେଇ ୧୩ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଗଲା । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ପୁରୀ, ସୋନପୁର, ବୌଦ୍ଧ, କଟକ, ଖୋର୍ଦ୍ଧା, କଳାହାଣ୍ଡି, ବଲାଙ୍ଗୀର ପାଇଁ ଶୀତ ସତର୍କତା ଜାରି ହୋଇଛି ।
ସେପଟେ ଆସନ୍ତା ଜାନୁୟାରୀ ୨ରେ ମଧ୍ୟ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ୬ଟି ଜିଲ୍ଲାରେ ୨ ତାରିଖ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ସୋନପୁର, ବୌଦ୍ଧରେ ବର୍ଷା ଆଶଙ୍କା ରହିଛି ।

ତେବେ ସଞ୍ଜ ନଇଁବା କ୍ଷଣି ପ୍ରବଳ ଶୀତ ହେଉଥିବାରୁ ଘରୁ କେହି ବାହାରୁ ନାହାନ୍ତି । ପ୍ରବଳ ଥଣ୍ଡା ସାଙ୍ଗକୁ ପବନ ହେଉଥିବାରୁ ଦେହହାତ କାଲୁଆ ପଡିଯାଉଛି । ରାଜ୍ୟରେ ହଠାତ ଏଭଳି ଶୀତ ପଡିବା ପରେ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସ୍କୁଲ ଓ ସର୍ବସାଧାରଣ କୋଠାକୁ ଲୋକଙ୍କ ପାଇଁ ଖୋଲା ରଖିବାରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯେଉଁ ଲୋକମାନେ ବାହାରେ ରାତ୍ରି ଯାପନ କରୁଛନ୍ତି ଯେଉଁମାନେ ଫୁପାଥରେ ଶୋଉଛନ୍ତି ସେମାନଙ୍କୁ ସେହି ସବୁ ସୁରକ୍ଷିତ ସ୍ଥାନରେ ଶୋଇବାକୁ ପରାମର୍ଶ ଦିଆଯାଇଛି ।

ତେବେ ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କ୍ରମାଗତ ଭାବରେ ତାପମାତ୍ର କମିବାରେ ଲାଗିଛି । ପ୍ରବଳ ଶୀତ ସାଙ୍ଗକୁ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଗାଡ଼ିମଟର ଚଳାଚଳ ପ୍ରଭାବିତ ହୋଇଛି । ଶୀତରୁ ରଖା ପାଇବା ପାଇଁ ଲୋକେ ନିଆଁ ଜାଳି ବସି ରହୁଛନ୍ତି ।

ଓଡିଶାର କିଛି ଜିଲ୍ଲାକୁ ଶୀତ ବିଳମ୍ବରେ ଆସିଥିଲେ ହେ ୨-୩ ଦିନ ହେବ ସାରା ଜିଲ୍ଲାକୁ ଥରେଇ ଦେଉଛି । ସକାଳ ବେଳା ତ ଘରୁ ବାହାରିବା କଷ୍ଟକର ହୋଇପଡୁଛି । କୁହୁଡି ଯୋଗୁଁ ସକାଳ ୧୦ଟା ଆଗରୁ ରାସ୍ତାଘାଟ ଦେଖାଯାଉନାହିଁ । ତେଣୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛି ।