କେବେ ଥମିବ ମଣ୍ଡି ଟେନସନ !! ମିଲରଙ୍କ ମନମାନି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ

245

କନକ ବ୍ୟୁରୋ : ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବିଭିନ୍ନ ଧାନ ମଣ୍ଡିରେ ମିଲରଙ୍କ ମନମାନି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଗୋଷାଣି ବ୍ଲକ୍ ଅନ୍ତର୍ଗତ ଭୁଶୁକୁଡି ଗ୍ରାମରେ ରାସ୍ତାରେ ଧାନ ବସ୍ତା ଓ ଧାନ ଭର୍ତି ଗାଡି ରଖି ପ୍ରତିବାଦ କରିଛନ୍ତି । ମିଲର ମଣ୍ଡିରେ ଓଜନ କରିବା ପରେ ଅମଳ ଧାନକୁ ଗ୍ରହଣ କରୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ । ସେପଟେ, କଳାହାଣ୍ଡି ଜିଲ୍ଲା କଳମପୁର ପ୍ରାଥମିକ କୃଷି ସମବାୟ ସମିତିର ଟୋକନ ପାଇବାରୁ ବଂଚିତ ଚାଷୀ ସମୂହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜୁନାଗଡ ମୁଖ୍ୟ ରାସ୍ତାର ତହସିଲ କାର୍ଯ୍ୟାଳୟ ନିକଟରେ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଚାଷୀ ।

କେବଳ ଏତିକି ନୁହେଁ , କଳମପୁର ପେକ୍ସ  କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ବି ଦେଇଥିଲେ । ଆସନ୍ତାକାଲି ସୁଦ୍ଧା ଚାଷୀଙ୍କର ଟୋକନ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଥିଲେ । ସୂଚନା ଅନୁଯାୟୀ କଳମପୁର ପେକ୍ସ ଅଧିନରେ ଥିବା ୪୮ ଜଣ ଚାଷୀଙ୍କର ଟୋକନ ଓ ଡାଟାବେଶରେ ଅନେକ ତ୍ରୁଟି ଥିବାରୁ ସେମାନେ ପୁନଃ ଆବେଦନ କରିଥିଲେ ।