ବିଧାୟକଙ୍କ ସମର୍ଥନ ଥିଲା କିନ୍ତୁ ଦିଲ୍ଲୀରେ ନିଷ୍ପତି ବଦଳି ଗଲା । ଜୟନାରାୟଣଙ୍କ ମୁହଁରେ ବିଜେପି ବିଧାୟକ ଦଳ ବୈଠକର ଭିତିରି କଥା ।

463

କନକ ବ୍ୟୁରୋ : ବିଧାୟକଙ୍କ ସମର୍ଥନ ଥିଲା, କିନ୍ତୁ ନିଷ୍ପତି ବଦଳି ଗଲା । କଣ ପାଇଁ ବଦଳିଲା, କାହିଁକି ବଦଳିଲା ତାହା ଜାଣିନାହିଁ । ବିଜେପିର ବିଧାୟକ ଦଳ ନେତା ଭାବେ ପ୍ରଦୀପ୍ତ ନାୟକଙ୍କୁ ବଛାଯିବା ପରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଆଉ ଜୟନାରାୟଣଙ୍କ ବୟାନ ହିଁ ସ୍ପଷ୍ଟ କରୁଛି ଯେ, ବିଜେପି ମୁଖିଆଙ୍କ ଏଭଳି ନିଷ୍ପତିରେ ସେ ଖୁସି ନାହାନ୍ତି । କାରଣ ଶାହାଙ୍କ ଘୋଷଣା ପୂର୍ବରୁ ବିରୋଧୀ ଦଳ ନେତା ପଦ ରେସରେ ସବୁଠୁ ଆଗରେ ରହିଥିଲେ ଜୟନାରାୟଣ । ବିଧାନସଭାରେ ଦୀର୍ଘ ଦିନର ଅଭିଜ୍ଞତା ମଧ୍ୟ ଜୟନାରାୟଣଙ୍କ ବିରୋଧୀ ଦଳ ନେତା ପଦ ଦାବିଦାରକୁ ଆହୁରି ବଢାଇ ଦେଇଥିଲା । କିନ୍ତୁ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ବିଜେପି ମୁଖିଆ । ଜୟନାରାୟଣଙ୍କ ବଦଳରେ ପ୍ରଦୀପ୍ତଙ୍କ ନାଁରେ ମାରିଥିଲେ ମୋହର ।

ତେବେ ଏସବୁ ଭିତରେ ଜୟନାରାୟଣ ବିଜେପି ବିଧାୟକ ଦଳ ବୈଠକର ଗୁମର ଖୋଲିଛନ୍ତି । ବିଧାୟକ ଦଳ ବୈଠକରେ କିଛି ନୁହେଁ ବରଂ ସବୁ ବିଧାୟକଙ୍କ ସମର୍ଥନ ତାଙ୍କ ପ୍ରତି ରହିଥିଲା । । ସେ ବିରୋଧୀ ଦଳ ନେତା ହେବେ ବୋଲି ସମସ୍ତେ ସମର୍ଥନ କରିଥିଲେ । କିନ୍ତୁ ହାଇକମାଣ୍ଡ ଚାହିଁଲେନି । ଏହାପୂର୍ବରୁ ପ୍ରଥମଥର ପାଇଁ କଂଗ୍ରେସକୁ ହଟାଇ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିବା ବିଜେପି, ବିରୋଧୀ ଦଳ ନେତା ଚୟନ ନେଇ ଅଡୁଆରେ ପଡିଥିଲା । ବିଧାୟକ ଦଳ ବୈଠକରେ ଗୃହରେ ଦଳର ନେତା କିଏ ସେନେଇ କୌଣସି ନିଷ୍କର୍ସ ବାହାରିନଥିଲା । ତେଣୁ କିଛି ନେତାଙ୍କ ନାଁ ବନ୍ଦ ଲଫାପାରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଥିଲା । ଯେହେତୁ ବିଧାୟକ ଦଳ ବୈଠକରେ ଜୟନାରାୟଣଙ୍କ ପ୍ରତି ସମସ୍ତ ବିଧାୟକଙ୍କର ସମର୍ଥନ ରହିଥିଲା ତେଣୁ ସେ ବିଜେପି ଦଳ ନେତା ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଦିଲ୍ଲୀ ଦରବାରରୁ ଯେଉଁ ନିଷ୍ପତି ଆସିଥିଲା ତାହା ଜୟନାରାୟଣଙ୍କ ହାତପାହାନ୍ତାରୁ ବିଜେପି ବିଧାୟକ ଦଳ ପଦ ଛଡାଇ ନେଇଥିଲା । ଓଡ଼ିଶାରେ ସିନା ସବୁ ବିଧାୟକଙ୍କ ସମର୍ଥନ ଜୟନାରାୟଣଙ୍କ ସହ ରହିଥିଲା, କିନ୍ତୁ ଦିଲ୍ଲୀରୁ ଆସିଥିବା ନିଷ୍ପତି ପ୍ରଦୀପ୍ତଙ୍କ ସମର୍ଥନରେ ରହିଥିଲା ।

ବିଧାୟକ ଦଳ ନେତା ପଦ ନ ମିଳିବା ପରେ ଜୟନାରାୟଣ କହିଛନ୍ତି, ବୈଠକରେ ମୋ ପ୍ରତି ସବୁ ବିଧାୟକଙ୍କର ସମର୍ଥନ ରହିଥିଲା । କିନ୍ତୁ ଦଳ କାହିଁକି ନିଷ୍ପତି ବଦଳାଇଲା ତାହା ଜାଣିନାହିଁ । ବିରୋଧୀ ଦଳ ନେତା ନହେଲେ ନାହିଁ, ବିଜେପି ନେତା ଭାବେ ଗୃହରେ ସରକାରଙ୍କୁ ଆକ୍ରମଣ କରିବି ବୋଲି କହିଛନ୍ତି ଜୟନାରାୟଣ । ଦଳର ହିତ ପାଇଁ ଏଭଳି ନିଷ୍ପତି ମୁଖିଆ ନେଇଥିବା କହିଛନ୍ତି ଜୟନାରାୟଣ ।

ଅନ୍ୟପଟେ ବିଜେପିର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ସହ ଜୟନାରାୟଣଙ୍କର ପଡୁନଥିବାରୁ ବିରୋଧୀ ଦଳ ନେତା ରେସରୁ ତାଙ୍କୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଜୟନାରାୟଣ କହିଛନ୍ତି, ସେ କୌଣସି ଗୋଷ୍ଠୀର ନୁହଁନ୍ତି । ସେ ବିଜେପିର ପ୍ରତିଷ୍ଠାତା ସଦସ୍ୟ । ତେଣୁ ତାଙ୍କର କାହା ସହିତ ପଡିବା ନପଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ରାଷ୍ଟ୍ରୀୟ ଦଳ ଭାବେ ବିଜେପି ବିଧାୟକ ଦଳ ପଦ ନେତା ଭାବିଚିନ୍ତି ବାଛିଛି । ଏହାସହ ବିଧାନସଭାରେ ପ୍ରଦୀପ୍ତଙ୍କ ଭୂମିକା ମଧ୍ୟ ଜବରଦସ୍ତ ରହିବ ବୋଲି କହିଛନ୍ତି ଜୟନାରାୟଣ ।