କାହାର ହେବ ହରିୟାଣା ? ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି କଡ଼ା ମୁକାବିଲା

639

କନକ ବ୍ୟୁରୋ: କାହା ହାତକୁ ଯିବ ହରିୟାଣା? ଭୋଟ୍ ଗଣତିରେ ଚାଲିଛି କଡ଼ାକଡି ଟକ୍କର । ୯୦ଟି ବିଧାନସଭା ଆସନ ବିଶିଷ୍ଟ ଏହି ହରିୟାଣାରେ ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ବିଜେପି ୩୮ ସିଟ୍ ଥିବାବେଳେ କଂଗ୍ରେସ ୨୮ଟି ସିଟ୍ ପାଇ ଟକ୍କର ଦେଉଛି । ସେହିପରି ଅନ୍ୟ ଆଞ୍ଚଳିକ ଦଳ ଖାତାରେ ୧୬ଟି ସିଟ୍ ରହିଥିବେ ଟ୍ରେଣ୍ଡ କହୁଛି ।

ତେବେ ହରିୟାଣାରେ ପୁଣି ବିଜେପି କମବ୍ୟାକ୍ କରିବ କି? ନା କଂଗ୍ରେସ ଫେରିବ ତାହା ସମ୍ପୂର୍ଣ୍ଣ ଭୋଟ୍ ଗଣତି ପରେ ସ୍ପଷ୍ଟ ହେବ । ଆଉ ହରିଆୟାଣାର ଭୋଟର ପୁଣି ମନୋହର ଲାଲ ଖଟ୍ଟରଙ୍କ ଉପରେ ଭରଷା କରି ପୁଣି ମୁଖ୍ୟମନ୍ତ୍ରୀ କରୁଛନ୍ତି ନା ଜାତୀୟ କଂଗ୍ରେସକୁ ସରକାର ଗଢ଼ିବାରେ ସୁଯୋଗ ଦେବେ ତାହା ସ୍ପଷ୍ଟ ହେବ । କ୍ଷମତା କେନ୍ଦ୍ରରେ ଥିବା ବିଜେପି ଏଠାରେ କମବ୍ୟାକ୍ କରିପାରେ ବୋଲି ଅଧିକ ସମ୍ଭାବନା ଆକଳନ କରୁଛନ୍ତି ରାଜନୀତି ବିଶେଜ୍ଞ ।

ଅନ୍ୟପଟେ ହରିୟାଣା ଜନନାୟକ ଜନତା ପାର୍ଟି, ଭାରତୀୟ ଜାତୀୟ ଲୋକ ଦଳ ଭଳି ଛୋଟ ଛୋଟ ଆଂଚଳିକ ଦଳର ଭବିଷ୍ୟତ ନିର୍ଣ୍ଣୟ ହେବ । ତେବେ ଭୋଟଗ୍ରହଣ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡା ମତ ସର୍ଭେରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବେ ବୋଲି କୁହାଯାଇଛି । କିନ୍ତୁ ଗୋଟିଏ ସଂସ୍ଥାର ଏକ୍ସିଟ୍ ପୋଲ୍ ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । ତେବେ ବିଜେପି କ୍ଷମତାକୁ ଫେରିଲେ ହରିୟାଣାରେ ରେକର୍ଡ କରିବ । ଏବେ ଭୋଟର କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ତାହା ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ।