ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ କଣ ବାର୍ତ୍ତା ଦେଲେ ନବୀନ? ୩୦ରୁ ୨୧ ମହିଳାଙ୍କୁ ଅଧ୍ୟକ୍ଷା କରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା

151

କନକ ବ୍ୟୁରୋ: ନାରୀ ହାତରେ ଶାସନ ଡୋରି ଦେଇ କଣ ବାର୍ତା ଦେଉଛନ୍ତି ନବୀନ । ଏହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ୭୦ ପ୍ରତିଶତ ମହିଳାଙ୍କ ହାତରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ । ୨୧ଟି ଜିଲ୍ଲାରେ ନେତୃତ୍ୱ ନେବେ ମହିଳା ଅଧ୍ୟକ୍ଷ । ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି । ରାଜନୈତିକ ସମୀକ୍ଷକ ମାନେ ଚର୍ଚ୍ଚା କରୁଛନ୍ତି ଯେ ଆଗକୁ ବିଧାନସଭା ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାଙ୍କୁ ଟିକେଟ ଦେଇପାରନ୍ତି ନବୀନ ।

ଐତିହାସିକ ବିଜୟର ଶ୍ରେୟ ଓଡ଼ିଶାବାସୀଙ୍କୁ ଯିବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଜ୍ୟବାସୀ ଆଶା ଅଜାଡି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ୩୦ ଜିଲ୍ଲା ପରିଷଦ ଗଠନ କରିବା ପରେ ବିଜେଡି ମୁଖପାତ୍ର ପ୍ରେସ ମିଟ୍ କରି ଏମିତି କହିଛନ୍ତି । ସୁଲତା ଦେଓ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି । ଆଜିର ବିଜୟ ସାଢ଼େ ୪ କୋଟି ଜନତାଙ୍କ ବିଜୟ । ସୁନ୍ଦରଗଡ଼ ଓ ସମ୍ବଲପୁର ପରି ବୃହତ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଛନ୍ତି ମହିଳା । ମହିଳାଙ୍କ ସହ ଯୁବ ଓ ଶିକ୍ଷିତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଥିବା କହିଛନ୍ତି ସୁଲତା ଦେଓ ।