କ’ଣ ହେବ ବିଏସକେୱାଇ ଓ ମିସନ ଶକ୍ତିର ଭବିଷ୍ୟତ: ବିଶେଷଜ୍ଞଙ୍କ ମତ, ଲୋକାଭିମୁଖୀ ଯୋଜନାକୁ ବନ୍ଦ କରନ୍ତି ନାହିଁ ସରକାର

1,066

କନକ ବ୍ୟୁରୋ: ରାଜ୍ୟରେ ସରକାର ବଦଳିଛି । ବିଜେଡି ଯାଇ ବିଜେପି ସରକାର ଆସିଛି । ହେଲେ ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଲୋକଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଓ ଶଙ୍କା ସୃଷ୍ଟି ହୋଇଛି । ବିଏସକେୱାଇ, ହରିଶ୍ଚନ୍ଦ୍ର, ମମତା ଭଳି ଯୋଜନାରେ ଲକ୍ଷ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ନୂଆ ସରକାର ଆସିବା ପରେ ସେସବୁ ଲୋକାଭିମୁଖୀ ଯୋଜନା ଭବିଷ୍ୟତ କଣ ହେବ? ବନ୍ଦ ହୋଇଯିବ କି? ଏଭଳି ଆଶଙ୍କାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି । ଆଉ ଏହାର ଉତ୍ତର ରଖିଛନ୍ତି ବିଶେଷଜ୍ଞ ।

‘ମମତା’ ହେଉ କି ‘ହରିଶ୍ଚନ୍ଦ୍ର’ ଯୋଜନା
‘ବିଏସ୍କେୱାଇ’ ହେଉ କି ‘ମିଶନ ଶକ୍ତି’
ରାଜ୍ୟ ସରକାରଙ୍କ ଏହିସବୁ ଲୋକାଭିମୁଖୀ ଯୋଜନା ଘରେ ଘରେ ଆଦୃତ ହୋଇଛି । ଏହି ଯୋଜନାରେ ଲକ୍ଷ ଲକ୍ଷ ହିତାଧିକାରୀ ଉପକୃତ ହୋଇ ଆସୁଛନ୍ତି । କିନ୍ତୁ ସରକାର ବଦଳିବା ପରେ ଯୋଜନାର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ତେବେ ପୂର୍ବତନ ପ୍ରଶାସକ ଏବଂ ପଲିସୀ ଏକ୍ସପର୍ଟଙ୍କ କହିବା କଥା,

କ’ଣ କହୁଛନ୍ତି ବିଶେଷଜ୍ଞ?
ସରକାର ବଦଳିବା ଏକ ସ୍ୱାଭାବିକ ପ୍ରକ୍ରିୟା
ସରକାର ବଦଳିଯାଏ, କିନ୍ତୁ ସରକାରୀ କଳ ନିରନ୍ତର କାମ କରୁଥାଏ
ସାଧାରଣତଃ ଲୋକାଭିମୁଖୀ ଯୋଜନାକୁ ବନ୍ଦ କରିନଥାନ୍ତି ସରକାର
ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେପି । ସରକାରକୁ ଆସିବା ପରେ ସେସବୁକୁ ପୂରଣ କରିବା ଏବେ ବଡ ଦାୟିତ୍ୱ । କିନ୍ତୁ ଏହାରି ଭିତରେ ପୁରୁଣା ଯୋଜନାଗୁଡିକ ପୂର୍ବଭଳି କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ବିଶେଷଜ୍ଞ । ବିଏସକେୱାଇ ଯୋଜନାରେ ମାସିକ ପ୍ରାୟ ୧ ଲକ୍ଷରୁ ଅଧିକ ହିତାଧିକାରୀ ଏଥିରେ ଉପକୃତ ହୋଇ ଆସୁଛନ୍ତି । ଏପଟେ ବିଜେପି ତା’ ଇସ୍ତାହାରରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଜୋର ଦେଇଥିଲା । ଲୋକ ପାଉଥିବା ସୁବିଧାରେ ଯେମିତି ସମସ୍ୟା ସୃଷ୍ଟି ନହୁଏ, ସେଥିପ୍ରତି ସରକାର ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି । ଏଥିପାଇଁ ବିଭିନ୍ନ ସାମାଜିକ ସଙ୍ଗଠନର ସହଯୋଗ ନେବାକୁ ପରାମର୍ଶ ଦେଇଛନ୍ତି ପୂର୍ବତ୍ତନ ସୂଚନା କମିସନର ଜଗଦାନନ୍ଦ ।

ଏପଟେ ସରକାରୀ ବିଧି ବ୍ୟବସ୍ଥା ଓ ବିଭିନ୍ନ ଯୋଜନା ସଂପର୍କରେ ଜାଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ନୂଆ ସରକାର । ଏଥିପାଇଁ ବିଭିନ୍ନ ବିଭାଗ ସହ ତୁହାକୁ ତୁହା ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବିଭାଗ ବଂଟନ ହେବା ପରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ବିଶେଷଜ୍ଞ ।