ମୁଖ୍ୟମନ୍ତ୍ରୀଙ୍କ ସଭାରେ ଜୋତାମାଡ଼ ନେଇ ସରଗରମ ରାଜନୀତି ! ଭାଇରାଲ ହେଲା ଆକ୍ରମଣ କରିଥିବା ଯୁବକର ପୂର୍ବ ଭିଡିଓ

23

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଥିବା ଯୁବକର ଏକ ଭିଡିଓ ସ୍ଥାନୀୟ ଅଂଚଳରେ ଭାଇରାଲ ହୋଇଛି । ଏହି ଭିଡିଓରେ କିଛି ବର୍ଷ ପୂର୍ବରୁ ଯୁବକ ଜଣଙ୍କ ଉପ-ଜିଲ୍ଲାପାଳଙ୍କ କୋଠା ଉପରେ ଉଠିଯାଇ ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ । ବେଶ କିଛି ଘଂଟା ଧରି ଏହି ଡ୍ରାମା ଜାରି ରହିଥିଲା । ତଳେ ଲୋକ ବି ଜମା ହୋଇଯାଇଥିଲେ । ପରେ ତାଙ୍କୁ କାବୁ କରାଯାଇ ଉଦ୍ଧାର କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋତାମାଡ ଘଟଣା ପରେ କାହା ପକ୍ଷରୁ ଏଭଳି ଉଦ୍ୟମ କରାଯାଇଛି ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଉ ତା ଭିତରେ ପଦ୍ମପୁର ଆଇଆଇସି କହିଥିଲେ, ତାର ମାନସିକ ସନ୍ତୁଳନ ଠିକ ନାହିଁ । କିନ୍ତୁ ପରେ ଆଇଆଇସି କହିଥିଲେ ଭିନ୍ନ କଥା ।

ତେବେ ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ବରପାଲି କୁମ୍ଭାରୀ ପ୍ରଚାର ସଭାରେ ଚପଲ ମାଡ ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି । ଆଜି ବିଜେଡି ଏହାର ପ୍ରତିବାଦରେ ଜନତା ମଇଦାନ ସ୍ଥିତ ଗାନ୍ଧି ମୂର୍ତି ତଳେ ପ୍ରତିବାଦ କରିଛି । ନେତା ଓ କର୍ମୀ ଧାରଣାରେ ବସିବା ସହ ବିଜେପି ବିରୋଧରେ ନାରାବାଜି କରିଛନ୍ତି । ଏପରିକି ନିରଞ୍ଜନ ପଟ୍ଟନାୟକ ଓ ବିଜୟ ମହାପାତ୍ର ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେପଟେ ବିଜେଡି ବିରୋଧରେ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ତିନୋଟି ସୁଟକେଶ୍ରେ ଟଙ୍କା ରଖାଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।