ସାମ୍ନାକୁ ଆସିଲା ବିମାନ ଦୁର୍ଘଟଣା ପୂର୍ବର ଶେଷ ଭିଡିଓ : ଲ୍ୟାଣ୍ଡିଂ ପୂର୍ବରୁ ଫେସବୁକରେ ଲାଇଭ ଥିଲେ ଜଣେ ଯାତ୍ରୀ; ଆଖି ପିଛୁଳାକେ ସବୁ କିଛି ହୋଇଗଲା ଛାରଖାର

1,432

କନକ ବ୍ୟୁରୋ : ନେପାଳର ସେଇ ବିମାନ ଦୁର୍ଘଟଣାର ଶେଷ ଭିଡିଓ ସାମ୍ନାକୁ ଆସିଛି । ଭିଡିଓ କରିଥିବା ବ୍ୟକ୍ତି ଜଣକ ଭାରତର ବୋଲି ଜଣାପଡ଼ିଛି । ଲ୍ୟାଣ୍ଡିଂ କରିବା ସମୟରେ ଫେସବୁକରେ ଲାଇଭ ଥିଲେ ଏହି ଯାତ୍ରୀ । ଆଉ ଦେଖୁ ଦେଖୁ ଖୁସିର ଅବତରଣ ପାଲଟିଗଲା ଦୁଃଖର ପାହାଡ଼ । ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ ଯେ ମାତ୍ର କେଇ ସେକେଣ୍ଡ ଭିତରେ କେମିତି ୭୨ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଉଛି ।

ଉତ୍ତରପ୍ରଦେଶର ସୋନୁ ଜୈସୱାଲ ନାମକ ଯୁବକ ତାଙ୍କର ଫେସବୁକର ଲାଇଭ କରୁଥିଲେ । ଏହି ଭିଡିଓ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଦେଶର କିଛି ବଡ଼ ବଡ଼ ସାମ୍ବାଦିକ ଭିଡିଓକୁ ନେଇ ଟ୍ୱିଟ୍ କରିଛନ୍ତି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତଳକୁ ଖସି ପଡିବା ସହ ସମ୍ପୂର୍ଣ୍ଣ ଜଳିଯାଇଥିଲା । ହୁତୁ ହୁତୁ ହୋଇ ଜଳି ଯାଇଥିଲା ବିମାନ । ବିମାନ ଜଳିବାବେଳେ ଆକାଶ ଧୁଆଁ ମୟ ହୋଇ ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ପ୍ରାୟ ୭୨ଜଣଙ୍କ ଜୀବନ ଚାଲିଯାଇଛି ।

ଅବତରଣ କରିବାର ୧୦ ସେକେଣ୍ଡ ପୂର୍ବରୁ ବିମାନ ଦୂର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି । ନେପାଳ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସୂଚନାଅନୁସାରେ କାଠମାଣ୍ଡୁ ବିମାନବନ୍ଦରରୁ, ପୋଖରା ଅଭିମୁଖେ ଉଡାଣ ଭରିଥିଲା ୟେତି –ଏୟାରଲାଇନ୍ସର ୯ଏନ- ଏଏନସି- ଏଟିଆର-୭୨ ବିମାନ । କିନ୍ତୁ ଦୁର୍ଭାଗ୍ୟବଶତଃ ଉଡାଣ ଭରିବାର ମାତ୍ର ୨୦ ମିନିଟ୍ ପରେ, ପୋଖରାରେ ପହଁଚିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବିମାନରେ ୬୮ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ବରଙ୍କୁ ମିଶାଇ ଥିବା ମୋଟ ୭୨ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ବିମାନରେ ୧୫ ବିଦେଶୀ ନାଗରିକଙ୍କ ମଧ୍ୟରେ ରହିଥିଲେ ୫ଜଣ ଭାରତୀୟ ଥିଲେ । ତେବେ କେଉଁ ଭାରତୀୟ ବିମାନରେ ଥିଲେ ସେ ନେଇ ଭାରତକୁ ନେପାଳ ଅବଗତ କରିଛି ।