ଆରମ୍ଭ ହେଲା ବନମହୋତ୍ସବ ସପ୍ତାହ ! ଚଳିତ ବର୍ଷ ଲଗାଯିବ ୨ କୋଟି ଚାରା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

34

କନକ ବ୍ୟୁରୋ : ଚଳିତ ବର୍ଷ ମହାନଦୀ ଓ ଏହାର ଉପନଦୀଗୁଡ଼ିକର ଅବବାହିକାରେ ୧ କିଲୋମିଟର ପର୍ଯ୍ୟନ୍ତ ୨ କୋଟି ଚାରା ଲଗାଯିବ । ବନମହୋତ୍ସବ ସପ୍ତାହ ପାଳନ ଅବସରରେ କେବଳ ଜୁଲାଇ ୭ ତାରିଖରେ ୪୦ ଲକ୍ଷ ଚାରା ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୯ତମ ବନମହୋତ୍ସବ ଅବସରରେ ଘୋଷଣା କରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା-ଭଗବାନପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମହାନଦୀ ଓ ଏହାର ଉପନଦୀ- ତେଲ, ସୁକତେଲ, ଓଙ୍ଗ ଓ ଇବ୍ ନଦୀର ଉପକୂଳରେ ୧୩୦୩ଟି ଗ୍ରାମରେ ଏହି ବୃକ୍ଷରୋପଣ ପାଇଁ ଯୋଜନା ରହିଛି । ଅନ୍ୟପଟରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗତ ଦୁଇ ବର୍ଷରେ ରାଜ୍ୟରେ ୮୮୫ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଥିବା କହିଛନ୍ତି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ, ଡେରାଡୁନର ସର୍ଭେ ଅନୁଯାୟୀ ଜଙ୍ଗଲ ବଢ଼ୁଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିବା ଦେଖାଯାଇଛି ।