୭ହଜାର କୋଟି ଟଙ୍କା ବିନିମୟରେ ନିର୍ମାଣ ହେବ ଇ-କୋର୍ଟ । କେନ୍ଦ୍ର ଆଇନମନ୍ତ୍ରୀ କହିଲେ ବଦଳିଯିବ ଭାରତୀୟ ନ୍ୟାୟ ବ୍ୟବସ୍ଥା

151

କନକ ବ୍ୟୁରୋ : କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜୁ ଗୁହ୍ୱାଟି ହାଇକୋର୍ଟର ପ୍ଲାଟିନମ୍ ଜୁବଲୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ନିଜର ମତ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ନ୍ୟାୟପାଳିକାର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ବିଜେପିର ପୂର୍ଣ୍ଣ ସମର୍ଥନ ରହିଥିବା କଥା ସେ କହିଛନ୍ତି । ଏହାସହ ଆଇନମନ୍ତ୍ରୀ କହିଛନ୍ତି କି, କେନ୍ଦ୍ର ସରକାର ଇ-କୋର୍ଟ ନିର୍ମାଣ ଉପରେ ଧ୍ୟାନ ଦେଇଛନ୍ତି । ଏହାଦ୍ୱାରା ଦୀର୍ଘଦିନ ଧରି ପଡିରହିଥିବା ମାମଲାର ସମାଧାନ ତୁରନ୍ତ ହୋଇପାରିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି କି ଚଳିତ ବର୍ଷ କେନ୍ଦ୍ର ସରକାର ଇ-କୋର୍ଟ ପାଇଁ ୭ ହଜାର କୋଟି ଟଙ୍କାକୁ ବଜେଟରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବ୍ୟବସ୍ଥା ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେବ ବୋଲି କିରଣ ରିଜିଜୁ କହିଛନ୍ତି । ଭାରତୀୟ ନ୍ୟାୟପାଳିକାକୁ ଡିଜିଟାଲ ଓ ପେପରଲେସ୍ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କଥା ସେ କହିଛନ୍ତି । ଯେତେବେଳେ ଭାରତୀୟ ନ୍ୟାୟପାଳିକାରେ ଅନେକଗୁଡିଏ ମାମଲା ପଡି ରହୁଛି, ଏହାର ସମାଧାନ ପାଇଁ ଇ-କୋର୍ଟ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି ।

ସେପଟେ କିଛିଦିନ ତଳେ କେନ୍ଦ୍ର ଆଇନମନ୍ତ୍ରୀ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ଆଇନମନ୍ତ୍ରୀ ଲଗାତର ଭାବେ ସମାଲୋଚନାରେ ଶିକାର ହେଉଛନ୍ତି । ରିଜିଜୁ କହିଥିଲେ କି ଅବସରପ୍ରାପ୍ତ ବିଚାରପତିମାନେ ଏବେ ଭାରତ ବିରୋଧୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ସେମାନେ ଭାରତୀୟ ନ୍ୟାୟପାଳିକାକୁ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କେନ୍ଦ୍ର ଆଇନମନ୍ତ୍ରୀ ଟିପ୍ପଣୀ ଦେଇଥିଲେ । ତାଙ୍କର ଏଭଳି ବୟାନକୁ ସୁପ୍ରିମକୋର୍ଟର ଏକ ଓଳିଲ ସଂଘ ନିନ୍ଦା କରିଥିଲେ । ଏହାସହ ରିଜିଜୁଙ୍କର ଏଭଳି ବୟାନକୁ ବିରୋଧୀଦଳମାନେ ମଧ୍ୟ ସମାଲୋଚନା କରିଥିଲେ ।