ଆୟକର ବିଭାଗର ଚଢାଉକୁ ନେଇ ମୁହଁ ଖୋଲିଲେ ଅପରାଜିତା । କହିଲେ, ଭ୍ରଷ୍ଟାଚାର ଯେଉଁଠି ହେବ, ମୋଦୀ ସରକାର ଆଗକୁ ଆସିବ ।

929

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଲିଥିବା ଆୟକର ବିଭାଗର ଘନ ଘନ ଚଢାଉକୁ ନେଇ ଶାସକ ଦଳ ପ୍ରଶ୍ନ ଉଠାଉଥିବାବେଳେ ଏହାର ଜବାବ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରତିକ୍ରିୟା ରଖି ସେ କହିଛନ୍ତି, ଭ୍ରଷ୍ଟାଚାର ଯେଉଁଠି ହେବ ମୋଦୀ ସରକାର ଆଗକୁ ଆସିବ । ନରେନ୍ଦ୍ର ମୋଦୀ ଯେବେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ, ସେବେ ଶପଥ ନେଇ କହିଥିଲେ – ନା ଖାଉଁଙ୍ଗା ନାଁ ଖାନେଦୁଙ୍ଗା ।

ଏହାସହ ଅପରାଜିତା ଆହୁରି ମଧ୍ୟ କହିଛନ୍ତି – ଆମକୁ ଜିଏସଟି କଲେକ୍ସନ ବଢାଇବାର ଅଛି । ଯେଉଁଠି ଜିଏସଟି କଲେକ୍ସନ୍ ହୋଇପାରୁନି ଆମକୁ ସେଠାରେ ପଦକ୍ଷେପ ନେବାକୁ ପଡିବ । ଶାସକ ଦଳ ସାମ୍ବିଧାନିକ ସଂସ୍ଥା ନୀତି, ନିୟମ ଓ ଯୋଗ୍ୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଇବା ଉଚିତ୍ ନୁହେଁ । ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ମାରାଥନ ଇନକମ୍ ଟାକ୍ସ ରେଡ୍ । ଗଞ୍ଜାମ, ନୟାଗଡ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳ, ସୋର, ଧର୍ମଶାଳା ଆଦି ସ୍ଥାନରେ ଆୟକର ବିଭାଗର ଚଢାଉ ହୋଇଛି । ବାଲି, ପଥର, କ୍ରସର ବ୍ୟବସାୟ ସହ ସମ୍ପର୍କ ରଖିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଥିବାର ଚିତ୍ର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି । ମୋଟା ଅଙ୍କର ଟିକସ ଫାଙ୍କିବା ଅଭିଯୋଗରେ ହୋଇ ଏହି ଚଢାଉ ହେଉଛି । ଚର୍ଚ୍ଚା ହେଉଛି ଚଢାଉ କରାଯାଉଥିବା ବ୍ୟକ୍ତିମାନଙ୍କର ରହିଛି ପଲିଟିକାଲ ଲିଙ୍କ । ଏମାନେ କୁଆଡେ ରାଜନୈତିକ ଦଳକୁ ଫଣ୍ଡିଂ କରନ୍ତି ।