କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା : ବଲିଉଡ, ବିଦେଶ ଲିଙ୍କ ଓ ଆର୍ଥିକ କାରବାର ନେଇ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା

167

କନକ ବ୍ୟୁରୋ : କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା । ବଲିଉଡ, ବିଦେଶ ଲିଙ୍କ ଓ ଆର୍ଥିକ କାରବାର ନେଇ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ଅର୍ଥନୈତିକ ଅପରାଧ ଶାଖା । ଗୋବିନ୍ଦାଙ୍କ ବ୍ୟତିତ ଆଉ କେଉଁ ଅଭିନେତା, ଅଭିନେତ୍ରୀ ପ୍ରଚାର କରୁଥିଲେ ତାହାର ଖୋଳତାଡ ଜାରି ରହିଛି । ଜେରାର ପ୍ରଥମ ଦିନରେ ଦୁଇ ଅଭିଯୁକ୍ତଙ୍କୁ ବଲିଉଡ ଲିଙ୍କ ନେଇ ଜୋରଦାର ପଚରାଉଚରା କରାଯାଇଛି ।

ଗୋବିନ୍ଦାଙ୍କ ବ୍ୟତିତ ଆଉ କେଉଁ ଅଭିନେତା ଅଭିନେତ୍ରୀ ପ୍ରଚାର କରୁଥିଲେ ଏବଂ ସେଥିପାଇଁ ସେମାନଙ୍କୁ କେତେ ଟଙ୍କା ଦିଆଯାଉଥିଲା ତାକୁ ନେଇ ଜେରା କରିଛି । ତେବେ ସଂସ୍ଥା ଆରବିଆଇ ସ୍ୱିକୃତିପ୍ରାପ୍ତ ହୋଇନଥିବା ବେଳେ କେଉଁ ପରିସ୍ଥିତିରେ ସେଲିବ୍ରିଟିମାନେ ସଂସ୍ଥାର ପ୍ରଚାର ପାଇଁ ଯାଇଥିଲେ, ସଂସ୍ଥାର ବାସ୍ତବତା ଜାଣିଥିଲେ ନା ଅର୍ଥ ଲୋଭରେ ପ୍ରଚାର କରିଥିଲେ, ଏସବୁ ପ୍ରସଙ୍ଗରେ ଖୋଳତାଡ ଚାଲିଛି । ଆବଶ୍ୟକ ପଡ଼ିଲେ ଉକ୍ତ ବଲିଉଡ ତାରକାଙ୍କୁ ମଧ୍ୟ ଜେରା କରାଯାଇପାରେ ବୋଲି ସୂଚନା ମିଳିଛି ।

ଏହି ସଂସ୍ଥା ମୁଖ୍ୟତଃ ୟୁରୋପର ଆଇସଲ୍ୟାଣ୍ଡରୁ ପରିଚାଳିତ ହେଉଥିଲା, ଏହାର ମୁଖ୍ୟ ଡେଭିଡ ଗେଜ୍ ବିଭିନ୍ନ ସମୟରେ ଭାରତକୁ ଆସି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବୁଲି ରାତାରାତି ଧନୀ ହେବାର ସ୍ୱପ୍ନ ଦେଖାଇ ଲୋକଙ୍କୁ ସଦସ୍ୟ ହେବାକୁ ପ୍ରବର୍ତାଉଥିଲେ । ତେଣୁ ମାମଲାର ବିଦେଶ ଲିଙ୍କ ନେଇ ମଧ୍ୟ ତଦନ୍ତ ହେଉଛି । କେଉଁମାନେ ବିଦେଶରୁ ଆସିଥିଲେ, ସଂସ୍ଥା କେଉଁମାନଙ୍କୁ ବିଦେଶ ପଠାଇଥିଲା ଓ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ସେ ନେଇ ମଧ୍ୟ ଖୋଳତାଡ କରୁଛି ଅର୍ଥନୈତିକ ଅପରାଧ ଶାଖା ।