ଟ୍ୱିଟର ବୟ ଅଶୋକ କୁମାରଙ୍କୁ ନେଇ ଚର୍ଚ୍ଚା : ଟ୍ୱିଟର ମାଧ୍ୟମରେ ସରକାରଙ୍କ ପାଖରେ ପହଞ୍ଚାଉଛନ୍ତି ସମସ୍ୟା 

116

କନକ ବ୍ୟୁରୋ : ସରକାରଙ୍କ ପାଖରେ ନିଜ ନିଜର ସମସ୍ୟା ଜଣାଇବାର ଅନ୍ୟତମ ମାଧ୍ୟମ ହେଉଛି ଟ୍ୱିଟର୍ । ଆଉ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମସ୍ୟାର ସମାଧାନ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରର ଅଶୋକ କୁମାର ମହାନ୍ତି । ଟ୍ୱିଟର ମାଧ୍ୟମରେ ଅଶୋକ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକଙ୍କ ସମସ୍ୟା ଦୂର କରିପାରିଛନ୍ତି । ଜଳେଶ୍ୱର ବ୍ଲକ କାଶିମପୁର ଗ୍ରାମର ଅଶୋକ ୨୦୧୯ ମସିହାରେ ଟ୍ୱିଟର ଆକାଉଣ୍ଟ ଖୋଲିଥିଲେ । ଏହି ଆକାଉଣ୍ଟକୁ ମନୋରଞ୍ଜନର ମାଧ୍ୟମ ନକରି ଲୋକଙ୍କ ସମସ୍ୟାର ସମାଧାନ କିପରି ହୋଇପାରିବ, ସେ ନେଇ ଚିନ୍ତା କରିଥିଲେ ଅଶୋକ ।

ଜଣେ ବନ୍ଧୁଙ୍କ ଠାରୁ ଜାଣିବାକୁ ପାଇଥିଲେ ସରକାରଙ୍କ ସହିତ ଯୋଡିହେବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ଟ୍ୱିଟର । ଯାହା ପରେ ସେ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିଲେ । ବିଭିନ୍ନ ସମସ୍ୟା ଯେମିତି, ରାସ୍ତାଘାଟ ମରାମତି, ଭତା, ସରକାରୀ ଆବାସ ଯୋଜନାରେ ଦୁର୍ନୀତି ଆଦି ସମସ୍ୟାକୁ ନେଇ ତାଙ୍କ ପାଖକୁ ଟ୍ୱିଟ୍ ଆସେ । ତାଙ୍କ ପାଖକୁ ଏପର୍ଯ୍ୟନ୍ତ ୨୨ହଜାର ସମସ୍ୟାଭିତିକ ଟ୍ୱିଟ୍ କରାଯାଇଥିବା ସେ କହିଛନ୍ତି । ସେଥିମଧ୍ୟରୁ ୧୦ହଜାରରୁ ଅଧିକ ସମସ୍ୟାର ସମାଧାନ ସେ କରିସାରିଛନ୍ତି । ଖବରକାଗଜ ଓ ଟିଭିରୁ ସମସ୍ୟାଭିତିକ ଖବର ଦେଖି ନିଜ ଟ୍ୱିଟର୍ ମାଧ୍ୟମରେ ସରକାରଙ୍କ ନିକଟରେ ପହଞ୍ଚାଇଥାନ୍ତି ଅଶୋକ ।

ବିଶେଷକରି କନ୍ଧମାଳ, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, ଭଦ୍ରକ ଆଦି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିପାରିଛନ୍ତି ଅଶୋକ । ସମାଧାନ ହୋଇଥିବା ସମସ୍ୟା ମଧ୍ୟରେ ରହିଛି ରେଳ ବିଭାଗ, ଗ୍ରାମ ଉନ୍ନୟନ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ଯୋଗଣ ବିଭାଗ, ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀ ଅଶୋକଙ୍କୁ ଫୋନ କରି ସମସ୍ୟା ବାବଦରେ ପଚାରି ବୁଝିଥାନ୍ତି । ଟ୍ୱିଟର୍ ମାଧ୍ୟମରେ ଲୋକଙ୍କ ସମସ୍ୟା ସମାଧାନ କରିପାରୁଥିବାରୁ ସେ ନିଜକୁ ଗର୍ବିତ ମନେ କରିଛନ୍ତି । ଏପରିକି ତାଙ୍କର ଏଭଳି କାମ ପାଇଁ ସମସ୍ତେ ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।