ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା: ଆହୁରି ୨ ଦିନ ପ୍ରବଳ ବର୍ଷିବ; ଖୋଲିଲା ହୀରାକୁଦର ୮ଟି ଗେଟ୍, ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ

1,230

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତକାଲି ଠାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ହେଉଛି । ଆଜି ମଧ୍ୟ ବର୍ଷା ଲାଗି ରହିଛି । ଘଡଘଡି ସହ ପ୍ରବଳ ବର୍ଷା ନେଇ ୨୦ଟି ଜିଲ୍ଲାକୁ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ରାୟଗଡା,କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ପୁରୀ, ଖୋର୍ଦ୍ଦା, କଟକ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ମୟୂରଭଂଜ, କେନ୍ଦୁଝର ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷକରି ପଶ୍ଚିମ, ଦକ୍ଷିଣ ଓ ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆହୁରି ୨ ଦିନ ଲଘୁଚାପ ଲଗାଣ ବର୍ଷା ଲାଗି ରହିବ । ଅର୍ଥାତ୍ ୨୬ ତାରିଖ ପରେ ବର୍ଷାର ପରିମାଣ କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ବର୍ଷା ଜାରି ରହିଛି ।

ସେପଟେ, ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ । ଗଂଜାମ ,ଗଜପତି, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବିଦ୍ୟାଳୟ ଛୁଟି ରହିଲେ ବି ଉପସ୍ଥିତ ରହିବେ ଶିକ୍ଷକ ଶିକ୍ଷୟିତ୍ରୀ । ଗତକାଲିଠୁ ଏହି ୪ଟିି ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଗକୁ ଅଧିକ ବର୍ଷାର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀ ସ୍କୁଲ ନଆସିବା ପାଇଁ ସ୍କୁଲ ବନ୍ଦ ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ ।

ସେହିଭଳି ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ବିଜୟାନଗରମ-ପଲାସା ମଧ୍ୟରେ ପୂର୍ବତଟ ରେଳବାଇରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ବିଳମ୍ବରେ ଚାଲୁଛି । ବିଶାଖାପାଟଣା ସହରର ପାଣି ରେଳଟ୍ରାକକୁ ଆସିଯାଇଛି । ଗତରାତିରେ ସିଗନାଲ ସିଷ୍ଟମ ପ୍ରଭାବିତ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ପାଣି କମିବା ପରେ ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଛି । ତେବେ ଏବେ ବି ବର୍ଷା ଲାଗିରହିଥିବାରୁ କିଛି ଟ୍ରେନ ବାତିଲ କରାଯାଇଛି । ବିଶାଖାପାଟଣାରୁ ଆସିବାକୁ ଥିବା ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସକୁ ବାତିଲ୍ କରାଯାଇଛି ।