ତାତୁଛି ଓଡ଼ିଶା : ୩୫ଂ ଛୁଇଁବ ଅନୁଗୁଳ

37

କନକ ବ୍ୟୁରୋ: ଫେବ୍ରୁଆରି ଆରମ୍ଭରୁ ଅସହ୍ୟ ହେଲାଣି ତାତି । ପୂର୍ବାହ୍ନ ୧୧ଟାରେ ଘରୁ ପଦାକୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ୁଛି । ବାଲେଶ୍ୱରରୁ ବଲାଙ୍ଗିର ହେଉ ଅଥବା କଟକରୁ ସମ୍ବଲପୁର ଗତ ୨୪ ଘଣ୍ଟା ମଧ୍ୟରେ ସବୁ ସହରର ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । ଲଗାତାର ୩ ଦିନ ହେଲା ତାପମାତ୍ରା ବଢ଼ୁଥିବାରୁ ଆଗକୁ ଆହୁରି ତାତିବ ବୋଲି ପୂର୍ବାନୁମାନ କରାଯାଉଛି । ରାତିରେ ଟିକିଏ ଥଣ୍ଡା ପଡ଼ୁଥିଲେ ମଧ୍ୟ ତାହାର ପ୍ରଭାବ ଦିନର ତାତି ଉପରେ ପଡ଼ୁ ନ ଥିବା ଦେଖିବାକୁ ମିଳୁଛି ।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଅନୁଗୁଳ ସହରର ତାପମାତ୍ରା ଏବେଠାରୁ ୩୫ ଡିଗ୍ରି ନିକଟତର ହେଲାଣି । ଗତକାଲି ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୪.୭ ଡିଗ୍ରି ରହିଥିଲା । ଏହା ତଳକୁ ସମ୍ବଲପୁର ଓ ବାଲେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ରେକର୍ଡ କରାଯାଇପାରି ନାହିଁ । ପାରାଦ୍ୱୀପ, ଗୋପାଳପୁର ଓ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲି ଯାଇଛି । ହୀରାକୁଦର ତାପମାତ୍ରା ୩୩.୮ ଡିଗ୍ରିରେ ପହଞ୍ଚିଥିବା ବେଳେ କଟକ, ବଲାଙ୍ଗିର ଓ ସୋନପୁରର ତାପମାତ୍ରା ୩୩.୬, ମାଲକାନଗିରିରେ ୩୩.୪, ଭୁବନେଶ୍ୱରରେ ୩୩.୩, ଝାରସୁଗୁଡ଼ାରେ ୩୩ ଡିଗ୍ରି ରେକର୍ଡ କରାଯାଇଛି ।

ଗୋଟିଏ ପଟେ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଏବେବି ଫୁଲବାଣୀ ଓ ସୁନ୍ଦରଗଡ଼ର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି । ରାତି ସମୟରେ ଥଣ୍ଡା ଅନୁଭୂତ ହେଉଥିବାରୁ ଅଧିକାଂଶ ସହରର ତାପମାତ୍ରା ୧୦ରୁ ୧୬ ଡିଗ୍ରି ଭିତରେ ରହୁଛି । ଏବେବି ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରହୁଥିବା ବେଳେ କଟକ ଓ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ଭିତରେ ରହୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗରେ ସେଭଳି ଆଖିଦୃଶିଆ ପରିବର୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁ କହିଛନ୍ତି । ଶ୍ରୀ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ୧୦ ତାରିଖ ପର୍ଯ୍ୟନ୍ତ ତାତିରେ ସେଭଳି ପରିବର୍ତନ ଆସିବ ନାହିଁ । ଗୋଟିଏ ଦୁଇ ଡିଗ୍ରି କମିପାରେ ନ ହେଲେ ବଢ଼ିପାରେ । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ଏଭଳି ତାପମାତ୍ରା ବଢ଼ୁଛି । ଦିନ ସମୟରେ ଝାଞ୍ଜି ପବନ ରହୁଥିବାରୁ ତାତି ଅନୁଭୂତ ହେଉଛି । ଥଣ୍ଡା ଆଉ ଫେରିବାର ସମ୍ଭାବନା ନାହିଁ । ଆସନ୍ତା ଦୁଇ ଦିନ ସେଭଳି କୁହୁଡ଼ି ହେବ ନାହିଁ । କିନ୍ତୁ ୭ ତାରିଖଠାରୁ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ । ଏନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।