ଫେବୃୟାରୀରୁ ମେ’ ମାସର ତାତି : ରାଜ୍ୟରେ ୩୬ ଡିଗ୍ରି ଟପିଲା ତାପମାତ୍ରା

40

କନକ ବ୍ୟୁରୋ : ସାରା ରାଜ୍ୟରେ ବଢ଼ିଚାଲିଛି ତାତି । ଫେବୃୟାରୀ ମାସରୁ ମେ ମାସ ପରି ତାତି ଅନୁଭୂତ ହେଉଛି । ଦୁଇଦିନ ପୂର୍ବରୁ ରାଜଧାନୀରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଗତାକଲି ରାଜ୍ୟର ୪ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ପାର ହୋଇଛି । ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ଓ ମାଲକାନଗିରିରେ ୩୬.୨ ଡିଗ୍ରି ଲେଖାଏ ରହିଥିଲା । ବାଲେଶ୍ୱରର ତାପମାତ୍ରା ବି ଇତିମଧ୍ୟରେ ୩୬.୧ ଡିଗ୍ରିରେ ପହଞ୍ଚିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଦେଖିବାକୁ ମିଳିଛି ଫୁଲବାଣୀରେ । ଏଠାରେ ସର୍ବନିମ୍ନ ତାପମାତ୍ରା ଏବେ ବି ୧୦ ଡିଗ୍ରି ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ସହରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ସମୟରେ ଏଠାକାର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରି ରହିଥିଲା । ପୂର୍ବାହ୍ନ ୧୧ଟାରୁ ତାତି ଅନୁଭୂତ ହେଉଥିବା ବେଳେ ବେଳେ ମଧ୍ୟରାତିରେ ପାରଦ ତଳକୁ ଖସୁଥିବାରୁ ଥଣ୍ଡା ହେଉଛି ।

record_heat_in odisha

ଏବେ ସୁଦ୍ଧା କେବଳ ପାରାଦ୍ୱୀପକୁ ଛାଡି ଅନ୍ୟ ସମସ୍ତ ସହରରେ ପ୍ରବଳ ତାତି ଅନୁଭୂତ ହେଉଛି। ପାରାଦ୍ୱୀପ ଓ ଦାରିଙ୍ଗବାଡ଼ି ବ୍ୟତୀତ ଆଜି ଅନ୍ୟ ସବୁଠି ତାପମାତ୍ରା ୩୧ ଡିଗ୍ରି ଉପରକୁ ଚାଲିଯାଇଛି । ଆସନ୍ତା ମାର୍ଚ୍ଚ ୧ ପର୍ୟ୍ୟନ୍ତ ତାପମାତ୍ରା ସେମିତି ବୃଦ୍ଧି ପାଇବ । ତାପମାତ୍ରାରେ କୌଣସି ଫରକ ଆସିବ ନାହିଁ । କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ବି ସମ୍ଭାବନା ରହିଛି ।