ଆଜି ରସଗୋଲା ଦିବସ: ଓଡ଼ିଆ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି ରସଗୋଲା

236

କନକ ବ୍ୟୁରୋ: ସାରା ରାଜ୍ୟରେ ପାଳିତ ହୋଇଛି ପ୍ରିୟ ରସଗୋଲା ଦିବସ । ନୀଳାଦ୍ରି ବିଜେ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଂଜନ କରିବା ପାଇଁ ରସଗୋଲା ଖୁଆଇବାର ବିଧି ରହିଛି । ଆଉ ଏହାକୁ ନେଇ ଏହି ଦିନକୁ ରସଗୋଲା ଦିବସ ପାଳନ କରାଯାଉଛି ।

ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିଥାନ୍ତି କାଳିଆ ସାଆନ୍ତ । ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା କରାଯାଏ । ବର୍ଷ ବର୍ଷ ହେଲା ଚାଲି ଆସୁଛି ଏହି ପରମ୍ପରା । ଆଉ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।

ଓଡ଼ିଶାର ପାରମ୍ପରିକ ମିଠା ହେଉଛି ରସଗୋଲା । ଘରେ ଘରେ ପର୍ବପର୍ବାଣୀରେ ଏହି ମିଠାର ବ୍ୟବହାର ହୁଏ । ଓଡ଼ିଶାର ରସଗୋଲାକୁ ଆହୁରି ପ୍ରସାର ପ୍ରଚାର କରିବା ପାଇଁ ରସଗୋଲା ଦିବସ ପାଳନ ହେଉଛି । ଭୁବନେଶ୍ୱର ଉପକଂଠ ପାହାଳର ମିଠା ବଜାରରେ ଧୁମଧାମରେ ପଳନ ହୋଇଛି ରସଗୋଲା ଦିବସ ।

ସାଲେପୁରର ବହୁ ପ୍ରସିଦ୍ଧ ବିକଳାନନ୍ଦ କର ସୁଇଟ୍ ଷ୍ଟଲ ପକ୍ଷରୁ ମଧ୍ୟ ଏହି ଅବସରରେ ବିଶେଷ ଆୟୋଜନ କରାଯାଇଥିଲା । ବିକଳାନନ୍ଦ କରଙ୍କ ନାତୁଣୀ ଶିବାନୀ କର କହିଛନ୍ତି, ରସଗୋଲାର ମାନ ଉପରେ ଗୁରୁତ୍ୱ ଦେଲେ, ଏହାର ପ୍ରସାର ଆହୁରି ବ୍ୟାପକ ହେବ ।

ଓଡ଼ିଶା ସହ ରସଗୋଲାର ସଂପର୍କ ବହୁ ପୁରୁଣା । ଆନନ୍ଦ ଉଲ୍ଲାସର ମୁହୂର୍ତ ହେଉ କି ଉତ୍ସବ, ସବୁଠି ଆବଶ୍ୟକ ହୁଏ ରସଗୋଲା । ନୀଳାଦ୍ରି ବିଜେ ଅବସରରେ ଜଗନ୍ନାଥଙ୍କ ନିକଟରେ ଶହ ଶହ ବର୍ଷ ହେଲା ରସଗୋଲା ଲାଗି ହୋଇଆସୁଛି ।