ଭୟଙ୍କର ଦୁର୍ଘଟଣାରେ ଥରି ଉଠିଲା ମହାରାଷ୍ଟ୍ର । ନାଗପୁରରୁ ମୁମ୍ବାଇ ଯାଉଥିବା ଘରୋଇ ବସରେ ନିଆଁ ଲାଗି ୨୫ରୁ ଅଧିକ ଜୀବନ୍ତ ଦଗ୍ଧ

897

କନକ ବ୍ୟୁରୋ : ସାଧାରଣ ବସ ଅପେକ୍ଷା ସମସ୍ତେ ଏସି ବସରେ ଯିବାକୁ ପସନ୍ଦ କରନ୍ତି । କିନ୍ତୁ ଏସି ବସ ଦୁର୍ଘଟଣାଗସ୍ତ ହେଲେ ତାହା କେତେ ଭୟଙ୍କର ହୋଇପାରେ ତାର ଚିତ୍ର ସାମ୍ନାକୁ ଆସିଛି    । ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଏକ ଏସି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ୨୫ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇଛନ୍ତି । ଆଉ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ବସ୍ଟି ୩୩ ଯାତ୍ରୀଙ୍କୁ ନେଇ ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ।

ମୃତ୍ୟୁୂକୁ ଅତି ପାଖରୁ ଦେଖିଥିବା ବସ ଚାଳକ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ କହିଛନ୍ତି । ବସ୍ର ଟାୟାର ଫାଟିଯିବାରୁ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା ବସ୍ । ପରେ ବସରେ ନିଆଁ ଲାଗିଯାଇଥିଲା । ସବୁଠୁୁ ବଡ଼ କଥା ହେଉଛି ବସଟି ଏପରି ଓଲଟିଥିଲା ଯେ, ତାର ଡୋର ତଳକୁ ରହିଯାଇଥିଲା । ଫଳରେ ଯାତ୍ରୀମାନେ ବାହାରକୁ ବାହାରି ନପାରି ନିଆଁରେ ଜଳିଯାଇଛନ୍ତି । ବସର କାଚ ଭାଙ୍ଗି ଅଳ୍ପ କିଛି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ମୃତକଙ୍କୁ ଚିହ୍ନଟ ପାଇଁ ସମସ୍ତ ୨୫ ଯାତ୍ରୀଙ୍କ ଡିଏନ୍ଏ ଟେଷ୍ଟ କରାଯିବ ବୋଲି ସୂଚନା ମଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଟଣା ସ୍ଥଳରେ ସ୍ଥିତି ପରଖିଛନ୍ତି ।