୨୦୨୩ ବିଶ୍ୱକପରୁ ବିଦା ହେଲା ୱେଷ୍ଟଇଣ୍ଡିଜ, ଜାଣନ୍ତୁ କାରଣ

3,280

କନକ ବ୍ୟୁରୋ : ୨୦୨୩ ବିଶ୍ୱକପ୍ ପୂର୍ବରୁ ୨ଥର ବିଶ୍ୱ ଚମ୍ପିଆନ ହୋଇଥିବା ୱେଷ୍ଟଇଣ୍ଡିଜ ଟିମକୁ ବଡ ଝଟକା ଲାଗିଛି । ୨୦୨୩ ବିଶ୍ୱକପରୁ ବିଦା ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ବିଶ୍ୱ କ୍ରିକେଟରେ ପାଖାପାଖି ୩୦ ବର୍ଷ ରାଜ୍ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ୨ ଥର ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । ୧୯୭୫ ଓ ୧୯୭୯ରେ ୱେଷ୍ଟଇଣ୍ଡିଜ ଟିମ୍ ବିଶ୍ୱକପ୍ ଜିତିଥିବା ବେଳେ ୧୯୮୩ରେ ଫାଇନାଲରେ ପହଂଚିଥିଲା । କେବଳ ଏକଦିବସୀୟ ନୁହେଁ ୱେଷ୍ଟଇଣ୍ଡିଜ ଟିମ ୨ଥର ଟି-୨୦ ବିଶ୍ୱକପ ମଧ୍ୟ ଜିତିଛି । ଯଦି ବିଶ୍ୱକପ କଥା କହିବା ତେବେ ଅଷ୍ଟ୍ରେଲିଆ ପରେ ସବୁଠାରୁ ଅଧିକ ସଫଳ ହୋଇଥିବା ଟିମ୍ ହେଉଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ।

ସେପଟେ ୨୦୨୩ ବିଶ୍ୱକପ ଖେଳିବା ପୂର୍ବରୁ ୱେଷ୍ଟଇଣ୍ଡିଜ ଟମକୁ ଆଇସିସିର ଏକଦିବସୀୟ ବିଶ୍ୱକପ କ୍ୱାଲିଫାୟର ମ୍ୟାଚ ଖେଳିବାକୁ ପଡିଥିଲା । ଗୋଟିଏ ସମୟରେ ବିଶ୍ୱର ମଜବୁତ କ୍ରିକେଟ ଟିମ୍ ଭାବେ ପରିଗଣିତ ହେଉଥିବା ଏହି ଟିମ୍ କିନ୍ତୁ କ୍ୱାଲିଫାୟରରେ ଭଲ ପ୍ରଦର୍ଶନ କରିପାରି ନଥିଲା । ପ୍ରଥମେ ଜିମ୍ବାୱେ ଓ ପରେ ନେଦରଲ୍ୟାଣ୍ଡ ଠାରୁ ପରାଜିତ ହୋଇଥିଲା । ଏହାପରେ ବି ୱେଷ୍ଟଇଣ୍ଡିଜ ଟିମ୍ ସୁପର ସିକ୍ସରେ ସ୍ଥାନ ପାଇଥିଲା । ହେଲେ ସେଠାରେ ବି ସ୍କଟଲ୍ୟାଣ୍ଡ ଠାରୁ ପରାଜିତ ହୋଇଥିଲା । ଏହି ପରାଜୟ ପରେ ଆଇସିସିର ନିୟମ ମୁତାବକ ୱେଷ୍ଟଇଣ୍ଡିଜ ଟିମ୍ ୨୦୨୩ ବିଶ୍ୱକପରୁ ବାଦ ପଡିଛି ।

ୱେଷ୍ଟଇଣ୍ଡିଜ ଟିମର ଏଭଳି ଖରାପ ପ୍ରଦର୍ଶନ ପଛରେ କଣ ରହିଛି କାରଣ । ଏନେଇ କ୍ରିକେଟ ବିଶ୍ଳେଷକଙ୍କ ମତ ହେଉଛି କି ୨୦୦୦ ମସିହାରୁ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ତାର ଖେଳାଳୀଙ୍କୁ ମ୍ୟାନେଜ କରିବାରେ ବିଫଳ ହୋଇଛି । ଖେଳାଳୀ ଚୟନ ବେଳେ ବୋର୍ଡ ଭେଦଭାବ କରୁଥିବା ନେଇ ବିଭିନ୍ନ ସମୟରେ ଖବର ଆସିଛି । ଏହାସହ ଯଦି କୌଣସି ଭଲ ଖେଳାଳୀ ଅଧିକ ଟଙ୍କା ଓ ସୁବିଧା ମାଗୁଥିଲା ତାକୁ ଦଳରୁ ବୋର୍ଡ ବିଦା କରୁଥିଲା । ଏହାସହ ବୋର୍ଡ କିମ୍ବା ଷ୍ଟାର ଖେଳାଳୀଙ୍କ ବିରୋଧରେ ବୟାନ ଦେଉଥିବା ଖେଳାଳୀଙ୍କୁ ମଧ୍ୟ ବୋର୍ଡ ଟିମରେ ସାମିଲ କରୁନଥିଲା ।